
ଗୁଜରାଟରୁ ଉନ୍ନତ କିସମର ଗାଈଙ୍କୁ ଓଡ଼ିଶାର ମୟୁରଭଞ୍ଜ ଚାଷୀମାନେ ପାଳିବେ।
ଗୁଜରାଟରୁ ଉନ୍ନତ କିସମର ଗାଈଙ୍କୁ ଓଡ଼ିଶାର ମୟୁରଭଞ୍ଜ ଚାଷୀମାନେ ପାଳିବେ। ଗାଈ ପ୍ରଜାତିର ଆନୁବଂଶିକ ଉନ୍ନତି ପାଇଁ ଏହି ପଦକ୍ଷେପ ନେଇଛି ଜାତୀୟ ଦୁଗ୍ଧ ବୋର୍ଡ ବା ଏନ୍ଡିବି। ଏହିକ୍ରମରେ ୩ ହଜାର ଗାଈଙ୍କୁ ବାଣ୍ଟିବା ଲାଗି ଉଦ୍ଦିଷ୍ଟ କାର୍ଯ୍ୟକ୍ରମକୁ ରାଷ୍ଟ୍ରପତି ଉଦ୍ଘାଟନ କରିଛନ୍ତି। ନୂଆଦିଲ୍ଲୀରୁ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଦ୍ୱାରା ଦୁଗ୍ଧ ଚାଷୀ ମାନେ ଉନ୍ନତ ମାନର କ୍ଷୀର ଉତ୍ପାଦକ ଗାଈ ଠାରୁ ଅଧିକ କ୍ଷୀର ଉତ୍ପାଦନ କରି ସ୍ୱାବଲମ୍ବୀ ହେବା ସହିତ ସେମାନଙ୍କର ଅର୍ଥନୈତିକ ଅଭିବୃଦ୍ଧି ଘଟିବଏବଂ ସେମାନଙ୍କ ଜୀବନ ଶୈଳୀରେ ଉନ୍ନତି ଘଟିବ ବୋଲି ଆଶା କରାଯାଇଛି। ଗାଈ ଯୋଗାଇ ଦେବା ପରେ ଏହାର ଉପଯୁକ୍ତ ପାଳନ ଓ ଆନୁସଙ୍ଗିକ ବିଷୟରେ ଚାଷୀ ମାନଙ୍କୁ NDDB ତରଫରୁ ଆବଶ୍ୟକ ତାଲିମ ଦେବା ବ୍ୟବସ୍ଥା ମଧ୍ୟ ଜରାଯାଇଛି ଯା ଫଳରେ ଚାଷୀ ମାନେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ସକ୍ଷମ ହୋଇ ପାରିବେ। ଏହି ଯୋଜନାରେ ମୟୁରଭଞ୍ଜ ଜିଲ୍ଲାର ୨୬ ଟି ବ୍ଲକ କୁ ସମୁଦାୟ ୩୦୦୦ଟି ଉନ୍ନତ ମାନର ଦୁଧିଆଳୀ ଗାଈ ହିତାଧିକାରୀ ମାନଙ୍କୁ ଯୋଗାଇଦେବା ନିମନ୍ତେ ବ୍ୟବସ୍ଥା ହୋଇଛି ଏବଂ ସେଥିମଧ୍ୟରୁ ରାଇରଙ୍ଗପୁର ସବ ଡିଭିଜନ ପାଇଁ ୧୦୦୦ ଜଣ ହିତାଧିକାରୀଙ୍କୁ ଗୋଟିଏ ଲେଖାଏଁ ଗାଈ ଯୋଗାଇ ଦିଆଯିବ। ଏତଦ ବ୍ୟତୀତ ଗିଫ୍ଟ ମିଲ୍କ ଯୋଜନା ରେ ରାଇରଙ୍ଗପୁର ପୌରପାଳିକା ଅନ୍ତର୍ଗତ ୧୯ ଟି ସରକାରୀ ବିଦ୍ୟାଳୟର ୧୧୮୪ ଜଣ ଛାତ୍ର ଛାତ୍ରୀଙ୍କୁ ସେମାନଙ୍କ ପୋଷଣ ତଥା ମାନସିକ ଓ ଶାରୀରିକ ବିକାଶ ନିମନ୍ତେ ମଧ୍ୟାହ୍ନ ଭୋଜନ ରେ ୨୦୦ ଏମ ଏଲ ର ଭିଟାମିନ ଏ ଓ ଡି ମିଶ୍ରିତ ପୁଷ୍ଟିଯୁକ୍ତ କ୍ଷୀର ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି।
ଏହି ଅବସରରେ ରାଇରଙ୍ଗପୁରର କିଛି ଚାଷୀ ଭାଇ ଭଉଣୀ ମାନଙ୍କୁ ବିଭାଗୀୟ ମନ୍ତ୍ରୀ ତଥା ଅତିଥି ମାନେ ପ୍ରତୀକାତ୍ମକ ଭାବରେ ମଞ୍ଚରେ ଗୋ ପ୍ରଦାନ କରିଥିଲେ ଏବଂ କିଛି ଛାତ୍ର ଛାତ୍ରୀଙ୍କୁ ଭିଟାମିନ ଏ ଏବଂ ଡି ଯୁକ୍ତ ୨୦୦ ମିଲିଲିଟର ପୁଷ୍ଟିକର ଦୁଗ୍ଧ ବୋତଲ ପ୍ରଦାନ କରିଥିଲେ। ରାଷ୍ଟ୍ରପତି ଭବନରେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଲେ ଯେ ରାଜ୍ୟରେ ଗୋ ସମ୍ପଦର ବିକାଶ ପାଇଁ ରାଜ୍ୟ ସରକାର କରିଥିବା କାମଧେନୁ ଯୋଜନା ଆରମ୍ଭ କରାଯାଇଛି। ଏଥିରେ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ସଙ୍କର ଜାତୀୟ ଗାଈ ତଥା ଦେଶୀୟ ପ୍ରଜାତିର ଗୀର ଓ ସହିୱାଲ ଆଦି ପ୍ରଜାତି ଗାଈ ପାଳନ ପାଇଁ ୭୦ ପ୍ରତିଶତ ଆର୍ଥିକ ସହାୟତା ଯୋଗାଇ ଦିଆ ଯାଉଛି। ଏହା ସହିତ ଗାଈ, ମଇଁଷିଙ୍କ ବୀମା କରାଯାଇ ଗୋପାଳକ ମାନଙ୍କୁ ଆର୍ଥିକ ସୁରକ୍ଷା ଦିଅ ଯାଉଛି। ଏଥିରେ ବୀମା ପ୍ରିମିୟମ ରାଶିର ୮୫ ପ୍ରତିଶତ ରାଜ୍ୟ ସରକାର ବହନ କରୁଛନ୍ତି। ଏହା ସହିତ ରାଜ୍ୟରେ ପ୍ରାଣୀ ସମ୍ପଦର ବିକାଶ ପାଇଁ ନିଆ ଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ।