୧୧ଟି ପ୍ରକଳ୍ପକୁ ମଞ୍ଜୁରି ଦେଲେ ଓଡିଶା ସରକାର

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟିର ବୈଠକରେ ୧୧ଟି ପ୍ରକଳ୍ପକୁ ମଞ୍ଜୁରି ମିଳିଛି। ଏଥିପାଇଁ ୨ ହଜାର ୮୪୦ କୋଟି ୭୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ଏହାଦ୍ୱାରା ୩ ହଜାର ୭୨୧ ଜଣଙ୍କପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଅନୁଷ୍ଠିତ ଏସଏଲଏସଡବ୍ଲ୍ୟୁସିଏ କମିଟି ଦ୍ୱାରା ୨୮୪୦.୭୩ କୋଟି ଟଙ୍କାର ୧୧ଟି ଶିଳ୍ପ ପ୍ରକଳ୍ପକୁ ଅନୁମୋଦନ କରାଯାଇଛି, ଯାହା ଓଡ଼ିଶାବାସୀଙ୍କ ପାଇଁ ୩୭୨୧ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ତନ୍ମଧ୍ୟରୁ ମେକ୍ ଇନ୍ ଓଡ଼ିଶା କନକ୍ଲେଭ୍ ୨୦୨୨ରେ ଅଂଶଗ୍ରହଣ କରି ରାଜ୍ୟରେ ପୁଞ୍ଜିନିବେଶ ପ୍ରସ୍ତାବନା ଦେଇଥିବା ୯ଟି କମ୍ପାନୀ ଅନ୍ତର୍ଭୁକ୍ତ ରହିଛି।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଖାଦ୍ୟ ପ୍ରକ୍ରିୟାକରଣ, ବୟନଶିଳ୍ପ, ପର୍ଯ୍ୟଟନ, ନବୀକରଣ ଶକ୍ତି ଭଳି ବିଭିନ୍ନ ପ୍ରକଳ୍ପକୁ ଅନୁମତି ମିଳିଛି। ଏହିସବୁ ପ୍ରକଳ୍ପ ବଲାଙ୍ଗିର, ଗଞ୍ଜାମ, ଜଗତ୍‍ସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ରାୟଗଡ଼ା, ସମ୍ବଲପୁର ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତିଷ୍ଠା କରାଯିବ। ବୈଠକରେ ୮୯୬.୯୮ କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆର.ସି.ଆର ଷ୍ଟିଲ ୱାର୍କସ ପ୍ରାଇଭେଟ ଲିମିଟେଡର ପ୍ରସ୍ତାବକୁ ଏସଏଲଏସଡବ୍ଲୁସିଏ ଅନୁମୋଦନ କରିଛି। ଏଥିରେ ମୟୂରଭଞ୍ଜର ଜାମଦାଠାରେ ଏକ ଇସ୍ପାତ କାରଖାନା ସ୍ଥାପନ କରାଯିବ।

ସେହିପରି ରାୟଗଡ଼ା ଜିଲ୍ଲାରେ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ୍ ଏବଂ ସମ୍ବଲପୁରର ଲାପଙ୍ଗାସ୍ଥିତ ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ର ସମ୍ପ୍ରସାରଣ ପ୍ରସ୍ତାବକୁ କମିଟି ଅନୁମୋଦନ କରିଛି। ସେହିଭଳି ଗଞ୍ଜାମ ଜିଲ୍ଲାର ଚିଲିକା ହ୍ରଦ ସ୍ଥିତ ସୋମାଲୋ ଦ୍ୱୀପରେ ୨୨୮.୪୫ କୋଟି ଟଙ୍କା ବିନିଯୋଗରେ ଏକ ରିସୋର୍ଟ ପ୍ରତିଷ୍ଠା ପାଇଁ ମହିନ୍ଦ୍ରା ହୋଲିଡେଜ୍ ଆଣ୍ଡ ରିସର୍ଟସ୍ ଇଣ୍ଡିଆ ଲିମିଟେଡ୍ ପ୍ରକଳ୍ପ ପ୍ରସ୍ତାବକୁ ମଧ୍ୟ ଏସ୍ଏଲ୍ଏସ ଡବ୍ଲୁଏ ଅନୁମୋଦନ କରିଛି। ଏହି ପ୍ରକଳ୍ପ ଭାରତର ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାର ସ୍ଥିତିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

ଆହୁରି ମଧ୍ୟ ରସାୟନ କ୍ଷେତ୍ରରେ କମିଟି ଆୟନ ଏକ୍ସଚେଞ୍ଜ (ଇଣ୍ଡିଆ) ଲିମିଟେଡ୍ ର ଏକ ପ୍ରକଳ୍ପକୁ କମିଟି ମଞ୍ଜୁରୀ ଦେଇଛି । ୩୦୩ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ୨୫୦୦୦ ମେଟ୍ରିକ୍ ଟନ୍ ଜଳ ବିଶୋଧନ କେମିକାଲ୍ ଏବଂ ୩୦,୦୦୦ ମେଟ୍ରିକ୍ ଟନ୍ ମନୋମର୍ ଓ ପଲିମର୍ସ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବାକୁ କମ୍ପାନୀ ପ୍ରସ୍ତାବ ଦେଇଛି। ସେହିଭଳି ବୟନ ଓ ପୋଷାକ କ୍ଷେତ୍ରରେ ଇଣ୍ଡିଆନ୍ ଷ୍ଟିଚେସ ପ୍ରାଇଭେଟ୍ ଲିମିଟେଡ୍ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଫେବ୍ରିକ୍ ପ୍ରୋସେସିଂ ପ୍ଲାଣ୍ଟ ସ୍ଥାପନ କରିବ।

ସେହିଭଳି ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ଖୋର୍ଦ୍ଧାରେ ଫୁଡ୍ ପ୍ରୋସେସିଂ ଓ ପ୍ୟାକେଜିଂ ୟୁନିଟ୍ ସ୍ଥାପନ ପାଇଁ ତାଜ୍ ସାଟସ୍ ଲିମିଟେଡ୍ ର ପ୍ରକଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ଏହି ସମସ୍ତ ନିବେଶରେ ରାଜ୍ୟରେ ପ୍ରାୟ ୩୭୨୧ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

Related Articles

Back to top button