ବେଙ୍ଗାଲୁରୁରେ ହେବ ଓଡ଼ିଶା ନିବେଶକ ସମ୍ମିଳନୀ

ଭୁବନେଶ୍ୱର: ବୟନ ଶିଳ୍ପ ଉପରେ ଗୁରୁତ୍ୱ ଦେବା ସହ ଏହାର ବୈଷୟିକ ଶିଳ୍ପକୁ ବ୍ୟାପକ କରିବା ନିମନ୍ତେ ବେଙ୍ଗାଲୁରୁଠାରେ ଅନୁଷ୍ଠିତ ହେବାକୁ ଯାଉଛି ଦୁଇଦିନିଆ ‘ଓଡ଼ିଶା ନିବେଶକ ସମ୍ମିଳନୀ’ । ମେ ୧୭  ଓ ୧୮ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଲା   ଘରୋଇ ଏବଂ ବୈଷୟିକ ନିବେଶକଙ୍କ ପାଇଁ ବୟନଶିଳ୍ପ କ୍ଷେତ୍ରରେ  ଓଡ଼ିଶା ଯେଭଳି ମୁଖ୍ୟ ଗନ୍ତବ୍ୟସ୍ଥଳୀ ହୋଇପାରିବ ତାହା ଉପରେ ପ୍ରାଥମିକତା ଦେବାକୁ ଉଦ୍ୟମ କରାଯାଇଛି ।

ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ନେତୃତ୍ୱରେ ଆୟୋଜିତ ସମ୍ମିଳନୀରେ ରାଜ୍ୟ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ତଥା ଇପିକଲର ଅଧ୍ୟକ୍ଷ ହେମନ୍ତ ଶର୍ମା, ହସ୍ତତନ୍ତ, ବୟନ ଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସମ୍ମିଳନୀର ପ୍ରଥମ ଦିନରେ ବେଙ୍ଗାଲୁରୁର ହୋଟେଲ ‘ତାଜ ୱେଷ୍ଟ ଏଣ୍ଡ’ ରେ ‘ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌’ ଅନୁଷ୍ଠିତ ହେବ । ଏଥିରେ କର୍ଣ୍ଣାଟକ ଏବଂ ଆଖପାଖ ରାଜ୍ୟର ସମ୍ଭାବ୍ୟ ନିବେଶକମାନଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।  ନିକଟରେ ଓଡ଼ିଶା ସରକାର ‘ଓଡ଼ିଶା ଶିଳ୍ପ ନୀତି ସଂକଳ୍ପ ୨୦୨୨’ ଏବଂ ଓଡ଼ିଶା ପୋଷାକ ଓ ବୈଷୟିକ ବୟନ ଶିଳ୍ପ ନୀତି ୨୦୨୨ ଆରମ୍ଭ କରିଛନ୍ତି , ଯେଉଁଥିରେ ନିବେଶକଙ୍କୁ ବ୍ୟାପକ ପ୍ରୋତ୍ସାହନ ଓ ସର୍ବୋତ୍ତମ ସୁବିଧା ପ୍ରଦାନର ବ୍ୟବସ୍ଥା ରହିବ । ଗସ୍ତ କରୁଥିବା ଏହି ପ୍ରତିନିଧି ଦଳ ରାଜ୍ୟରେ ଆଗାମୀ ପୁଞ୍ଜିନିବେଶ ସୁଯୋଗ ସମ୍ପର୍କରେ ନିବେଶକମାନଙ୍କୁ ଅବଗତ କରାଇବେ ।  ଓଡ଼ିଶାକୁ ଟେକ୍ସଟାଇଲ୍ ଓ ଆପାରେଲ ହବ୍ ରେ ପରିଣତ କରିବା ପାଇଁ ଓଡ଼ିଶା ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ଏଥିରେ ପ୍ରଦର୍ଶିତ କରାଯିବ ।
‘ରୋଡ୍ ଶୋ’ ଅବସରରେ ମୁଖ୍ୟ ଶାସନ ସଚିବ, ଓଡ଼ିଶାଙ୍କ ନେତୃତ୍ୱରେ ଏହି ବରିଷ୍ଠ ପ୍ରତିନିଧି ଦଳ ସମ୍ଭାବ୍ୟ ନିବେଶକଙ୍କ ସହ  ଜି୨ବି ବୈଠକରେ ସାମିଲ ହେବେ ।  ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଆଗ୍ରହୀ  ନିବେଶକଙ୍କ ଆବଶ୍ୟକତାକୁ ବୁଝିବା ଏବଂ ରାଜ୍ୟ ଯେପରି ନିବେଶକମାନଙ୍କୁ ସର୍ବୋତ୍ତମ ସହାୟତା ଓ ସୁବିଧା ପ୍ରଦାନ କରିବ, ତାହାକୁ ସୁନିଶ୍ଚିତ କରିବାକୁ  ବୈଠକରେ ଗୁରୁତ୍ୱ ଦିଆଯାଇଛି ।

Related Articles

Back to top button