ନୟାଗଡ଼ର କଣ୍ଟେଇମୁଣ୍ଡି ବାଇଗଣକୁ ମିଳିପାରେ ଜିଆଇ ଟ୍ୟାଗ୍‌ ମାନ୍ୟତା

ନୟାଗଡ଼: ନୟାଗଡ଼ର ସ୍ବତନ୍ତ୍ର କିସମର କଣ୍ଟାଯୁକ୍ତ କଣ୍ଟେଇମୁଣ୍ଡି ବାଇଗଣକୁ ମିଳିପାରେ ଭୌଗୋଳିକ ସଙ୍କେତ ବା ଜିଓ ଗ୍ରାଫିକାଲ୍‌ ଇଣ୍ଡିକେସନ(ଜିଆଇ) ଟ୍ୟାଗ ମାନ୍ୟତା। ଭୁବନେଶ୍ୱରର ଏସ୍‌ଏସ୍‌ଟି ରିସର୍ଚ୍ଚ ସେଣ୍ଟରରେ ମଙ୍ଗଳବାର ଜିଆଇ ଟ୍ୟାଗ ମାନ୍ୟତା ଦେବା ନେଇ ବୈଠକ ହୋଇଥିଲା। ଅନ୍‌ଲାଇନରେ ଜିଆଇ ଟ୍ୟାଗ୍‌ ମାନ୍ୟତା ବିଭାଗର ୪ଜଣ ଅଧିକାରୀ ଉପସ୍ଥିତ ଥିବାବେଳେ ଓ ଭୁବନେଶ୍ୱରକୁ ୫ଜଣ ଅଧିକାରୀ ଆସିଥିଲେ। ଏଠାକୁ ନୟାଗଡ଼ ଜିଲା ପରି ବିଭିନ୍ନ ଜିଲାର କୃଷି ସମ୍ବଦ୍ଧୀୟ ଉପକରଣକୁ ଜିଆଇ ଟ୍ୟାଗ୍‌ ମାନ୍ୟତା ନେଇ ଦାବି ଉଠିଥିଲା। ନୟାଗଡ଼ ଜିଲାରୁ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅନିଲ କୁମାର ସ୍ବାଇଁଙ୍କ ସମେତ କେତେଜଣ ଅଧିକାରୀ ଓ କଣ୍ଟେଇମୁଣ୍ଡି ବାଇଗଣ କରୁଥିବା ୨ ଚାଷୀ ଯାଇଥିଲେ। ଆମ ଜିଲା ତରଫରୁ କଣ୍ଟେଇମୁଣ୍ଡି ବାଇଗଣ ଉପରେ ସମ୍ପର୍ଣ୍ଣ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଜିଆଇ ଟ୍ୟାଗ କର୍ତ୍ତୃପକ୍ଷ କଣ୍ଟେଇମୁଣ୍ଟି ବାଇଗଣ ଉପରେ ଆଉ କିଛି ତଥ୍ୟ ମାଗିଥିବା ଜଣାପଡିଛି।

ପ୍ରକାଶଯେ, ଖଣ୍ଡପଡା ବ୍ଳକର କଣ୍ଟିଲୋ ମହାନଦୀ କୂଳେ କୂଳେ କଣ୍ଟେଇମୁଣ୍ଡି ବାଇଗଣ କାହିଁ କେଉଁ କାଳରୁ ଚାଷ ହୋଇ ଆସୁଛି। ଏହା ସ୍ବାଦିଷ୍ଟ ଥିବାରୁ ବିକ୍ରି ବଢ଼ି ଚାଲିଛି। ପରେ ବଡବାଣପୁର, ପଦ୍ମାବତୀ ଓ ଏହାର ଆଖପାଖ ଅଞ୍ଚଳ ସମେତ ନୟାଗଡ ଜିଲାର ବିଭିନ୍ନ ଗଁାରେ ଏହି ଚାଷ ବଢ଼ିଛି। ଏନେଇ ନୟାଗଡ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଅନିଲ କୁମାର ସ୍ବାଇଁ କୁହନ୍ତି କଣ୍ଟେଇମୁଣ୍ଡି ବାଇଗଣକୁ ଜିଆଇ ଟ୍ୟାଗ ମାନ୍ୟତା ଦେବା ପାଇଁ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ୩ ବର୍ଷ ତଳେ ପ୍ରୟାସ ଆରମ୍ଭ ହୋଇଥିଲା। ଏନେଇ ତତ୍‌ କାଳୀନ ଜିଲାପାଳ ପୋମା ଟୁଡୁଙ୍କ ସହ ଆଲୋଚନା କରାଯାଇଥିଲା। ଜିଲାପାଳଙ୍କ ସବୁଜ ସଙ୍କେତ ମିଳିବା ପରେ ଏକ ବୈଠକ କରାଯାଇ ଏଥିରେ ସହମତି ପ୍ରକାଶ ପାଇଥିଲା। ଏପରିକି ଆବଶ୍ୟକୀୟ ଡକ୍ୟୁମେଣ୍ଟସ୍‌ ପ୍ରସ୍ତୁତ କରାଯାଇ ଓଡିଶା ୟୁନିଭରସିଟି ଅଫ୍‌ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (ଓୟୁଏଟି)କୁ ଦିଆଯାଇଥିଲା। ଓୟୁଏଟି ପକ୍ଷରୁ ଆବଶ୍ୟକ କାଗଜାତ ଜିଆଇ ଟ୍ୟାଗ କାର୍ଯ୍ୟାଳୟ ଚେନ୍ନାଇକୁ ପଠାଇଥିଲେ। ଏନେଇ ଭୁବନେଶ୍ୱରରରେ ମଙ୍ଗଳବାର ସମୀକ୍ଷା ହୋଇଛି ବୋଲି କହିଛନ୍ତି। ଏବେ ପୁଣି କଣ୍ଟେଇମୁଣ୍ଡି ବାଇଗଣ ଉପରେ ଡୁକ୍ୟମେଣ୍ଟାରୀ ଓ ଆନାଲେଶିସ କରାଯାଉଛି ବୋଲି କହିଛନ୍ତି।

Related Articles

Back to top button