ମାଟ୍ରିକ ପରୀକ୍ଷାରେ ସେଟ ‘ବି’ ପ୍ରଶ୍ନପତ୍ରରେ ରହିଛି ସେଟ ‘ଏ’ ର ପ୍ରଶ୍ନ
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାରେ ସଂଘାତିକ ତ୍ରୁଟି । ପ୍ରଶ୍ନପତ୍ର ସେଟ ‘ବି’ ସେଟରେ ରହିଛି ‘ଏ’ ସେଟର ପ୍ରଶ୍ନ । ପ୍ରଶ୍ନ ପତ୍ରରେ ୧୯ ନମ୍ବର ପ୍ରଶ୍ନ ବି ନାହିଁ । ପ୍ରଶ୍ନପତ୍ରରେ ଗୋଟିଏ ନମ୍ବର ନ ଥିବାରୁ ଛାତ୍ରଛାତ୍ରୀ ୫୦ ବଦଳରେ ୪୯ ନମ୍ବରର ପରୀକ୍ଷା ଦେଉଛନ୍ତି । ଏଭଳି ତ୍ରୁଟି ରାଜ୍ୟର ବିଭିନ୍ନ ସ୍କୁଲରୁ ଆସିବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଚିନ୍ତାର ପଡି ଯାଇଛି ।
ଜଗତସିଂହପୁର ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଅଭିଯୋଗ ଆଣିଛନ୍ତି, ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍ର ପ୍ରଶ୍ନ ରହିଛି। ଏପରିକି ୧୯ ନମ୍ବର ପ୍ରଶ୍ନ ନଥିବା ସେମାନେ କହିଛନ୍ତି। ବୋର୍ଡ କର୍ତ୍ତୃପକ୍ଷ ଏ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ସେହିପରି ପାରଳାଖେମୁଣ୍ଡି, ନୟାଗଡ, ଢେଙ୍କାନାଳରେ ମଧ୍ୟ ପ୍ରଶ୍ନପତ୍ରରେ ବିଭ୍ରାଟ ହୋଇଥିବା ଅଭିଯୋଗ ଆସିଛି।
ଅନ୍ୟପକ୍ଷେ ପ୍ରଶ୍ନପତ୍ରରେ ଥିବା ତ୍ରୁଟିକୁ ବୋର୍ଡ ସଭାପତି ସ୍ୱୀକାର କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରଶ୍ନପତ୍ର ତ୍ରୁଟି ଅଭିଯୋଗ ଆସିଥିବା ସେ ସ୍ୱୀକାର କରିଛନ୍ତି । ମୁଦ୍ରଣ ଜନିତ ତ୍ରୁଟିରୁ ଏଭଳି ହୋଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି । ଏହାର ତର୍ଜମା କରାଯିବ । ଏଥିସହିତ ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବୋର୍ଡ କର୍ତ୍ତୃପକ୍ଷ ।