ମହାମହିମ ରାଷ୍ଟ୍ରପତି କରିଛନ୍ତି ଓଡ଼ିଶା ପର୍ବର ଉଦଘାଟନ।

ପୁଣିଥରେ ଦିଲ୍ଲୀରେ ଦେଖିବାକୁ ମିଳିଛି ଓଡ଼ିଆ ସଭ୍ୟତା, ସଂସ୍କୃତି, ଅସ୍ମିତା, ନାଚଗୀତ ଓ ଖାଦ୍ୟର ଅପୂର୍ବ ସମ୍ଭାର। ଉଦଘାଟିତ ହୋଇଛି ଓଡ଼ିଶା ପର୍ବ ୨୦୨୪। କିନ୍ତୁ ପୂର୍ବ ବର୍ଷଗୁଡ଼ିକରେ ଆୟୋଜିତ ଓଡ଼ିଶା ପର୍ବଠାରୁ ଚଳିତ ବର୍ଷର ପର୍ବର ଆକର୍ଷଣ ଓ ଚମକ୍ ଅଧିକ। ପ୍ରଥମ ଥର ପାଇଁ ମହାମହିମ ରାଷ୍ଟ୍ରପତି କରିଛନ୍ତି ଓଡ଼ିଶା ପର୍ବର ଉଦଘାଟନ। ଦେଶର ସର୍ବୋଚ୍ଚ ପଦରେ ଆସୀନ ଓଡ଼ିଶାର ସୁକନ୍ୟା ଦ୍ରୌପଦୀ ମୁର୍ମୁ କିନ୍ତୁ ଓଡ଼ିଶା ପର୍ବରେ ଦ୍ବିତୀୟ ଥର ପାଇଁ ହୋଇଛନ୍ତି ସାମିଲ। ଝାଡ଼ଖଣ୍ଡର ରାଜ୍ୟପାଳ ଥିବାବେଳେ ୨୦୧୭ରେ ଓଡ଼ିଶା ପର୍ବର ପ୍ରଥମ ସଂସ୍କରଣରେ ବି ଯୋଗଦେଇଥିଲେ ଶ୍ରୀମତି ମୁର୍ମୁ। ତାଙ୍କର ଯୋଗଦାନ କାର୍ଯ୍ୟକ୍ରମରେ ଉପସ୍ଥିତ ଓଡ଼ିଆଙ୍କୁ କରିଥିଲା ଉତ୍ସାହିତ। ଉଦଘାଟନୀ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ଭର୍ତ୍ତୁହରି ମହତାବଙ୍କ ଉପସ୍ଥିତି ଓଡ଼ିଶା ପର୍ବକୁ କରିଥିଲା ଗରିମାମୟ।

ପୂର୍ବ ବର୍ଷଠାରୁ ଏବର୍ଷର ଓଡ଼ିଶା ପର୍ବ ଭବ୍ୟତା ଢେର ଅଧିକ। ଓଡ଼ିଆ ନୃତ୍ୟ, ଗୀତ, ବାଦ୍ୟରେ କମ୍ପୁଛି ଜବାହାରଲାଲ ନେହରୁ ଷ୍ଟାଡିଅମ୍। ରାଜ୍ୟର ବିଭିନ୍ନ ପାରମ୍ପରିକ ଲୋକକଳାର ଝଲକ ଦେଇଖିବାକୁ ମିଳିଛି ଓଡ଼ିଶା ପର୍ବରେ।  ଏବର୍ଷ ୪୫ଟି ଷ୍ଟଲରେ ଓଡ଼ିଶାର ପାରମ୍ପରିକ ବସ୍ତ୍ର, ଖାଦ୍ୟ, କଳାସାମଗ୍ରୀର ବିକ୍ରି ହେଉଛି। କଳାହାଣ୍ଡି, କୋରାପୁଟର, ନବରଙ୍ଗପୁର, ପୁରୀ, ବିଭିନ୍ନ ସ୍ଥାନରୁ ଆସିଥିବା ହସ୍ତତନ୍ତ ସାମଗ୍ରୀ କିଣିବାକୁ ପ୍ରବାସୀ ଓଡ଼ିଆଙ୍କ ମଧ୍ୟରେ ଢେର ଆଗ୍ରହ। ଓଡ଼ିଆ ସଂସ୍କୃତିର ପ୍ରଚାର ଓ ସୁରକ୍ଷା ପାଇଁ ‘ଓଡ଼ିଆ ସମାଜ’ ପକ୍ଷରୁ ପ୍ରତିବର୍ଷ ଦିଲ୍ଲୀରେ ‘ଓଡ଼ିଶା ପର୍ବ’ର ଆୟୋଜନ କରାଯାଉଛି ।

Related Articles

Back to top button