୨୦୩୬ ଯାଏ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ହକିକୁ ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ୨୦୩୬ ଯାଏ ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା । ଏନେଇ ରାଜ୍ୟ ସରକାର ଶୁକ୍ରବାର ବଡ଼ ଘୋଷଣା କରିଛନ୍ତି। ୨୦୩୩ରୁ ୨୦୩୬ ପର୍ଯ୍ୟନ୍ତ ପ୍ରାୟୋଜକ ଅବଧି ବୃଦ୍ଧି ନେଇ ସୂଚନା ମିଳିଛି। ଓଡ଼ିଶା ୨୦୧୮ରୁ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ।

ଶୁକ୍ରବାର ରାଜ୍ୟ ଅତିଥି ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ କରି ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ହକି ପାଇଁ ଓଡ଼ିଶାକୁ ବିଶ୍ୱରେ ଗୋଟିଏ ଅଲଗା ପରିଚୟ ମିଳିଛି। ଭାରତୀୟ ହକି ଦଳର ବିକାଶରେ ଓଡ଼ିଶାର ପ୍ରଶଂସନୀୟ ଅବଦାନ ରହିଛି। ଭବିଷ୍ୟତରେ ଓଡ଼ିଶା ସରକାରଙ୍କ ସହ ମିଶି ହକିକୁ ପରବର୍ତ୍ତୀ ପର୍ଯ୍ୟାୟକୁ ନେବା ପାଇଁ ମିଳିମିଶି କାମ କରିବା ପାଇଁ ଆଲୋଚନା ବେଳେ ପ୍ରତିଶ୍ରୁତି ଦିଆଯାଇଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ୨୦୩୬ ମସିହା ରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି, ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆକୁ ପ୍ରାୟୋଜକ ଅବଧି ସମୟକୁ ୨୦୩୩ ରୁ ଆଉ ତିନିବର୍ଷ ପାଇଁ ବୃଦ୍ଧି କରାଯିବ ଏବଂ ହକିର ଉନ୍ନତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ହକି ପ୍ରତି ଓଡ଼ିଶା ବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି ବୋଲି କହିଛନ୍ତି । ଏହି ବୈଠକରେ ମୁଖ୍ୟଶାସନ ସଚିବ ଶ୍ରୀ ପି . କେ . ଜେନା, କ୍ରୀଡା ସଚିବ ଶ୍ରୀ ଭିନିଲ କ୍ରିଷ୍ଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।ସୂଚନା ଅନୁସାରେ  ଓଡ଼ିଶା ସରକାର ୨୦୧୮ରୁ ଭାରତୀୟ ହକି ଦଳର ପ୍ରାୟୋଜକ ଦାୟିତ୍ୱ ନେଇଛନ୍ତି । ୨୦୨୩ ରୁ ୧୦ ବର୍ଷ ଓଡ଼ିଶା ପ୍ରାୟୋଜକ ରହିବା ପାଇଁ ପୂର୍ବ ସରକାର ଘୋଷଣା କରିଥିଲେ।

Related Articles

Back to top button