ଚଳିତ ବର୍ଷ ସ୍ୱାଭାବିକଠାରୁ ଓଡ଼ିଶାରେ ହେବ କମ୍‌ ମୈାସୁମୀ ବର୍ଷା ।

ଚଳିତ ବର୍ଷ ସ୍ୱାଭାବିକଠାରୁ ଓଡ଼ିଶାରେ ହେବ କମ୍‌ ବର୍ଷା । ଓଡ଼ିଶା ସହ ବିହାର, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ମଧ୍ୟ କମ୍‌ ବର୍ଷା ଯୋଗୁଁ ପ୍ରଭାବିତ ହେବ। ପାଣିପାଗ ଏଜେନ୍ସି ସ୍କାଏମେଟ୍‌ କରିଛି ଏପରି ପୂର୍ବାନୁମାନ। ସ୍କାଏମେଟର ଆକଳନ ଅନୁସାରେ ଚଳିତ ବର୍ଷ ଦେଶର ୨୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ସ୍ୱାଭାବିକ ବର୍ଷା ହେବ। ୮ଟି ରାଜ୍ୟ ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା ଓ ସିକ୍କିମ୍‌ରେ ଜୁନ୍‌ ଓ ଜୁଲାଇରେ କମ୍‌ ବର୍ଷା ହେବ। ତେବେ ଏହି ରାଜ୍ୟଗୁଡ଼ିକରେ ଅଗଷ୍ଟରେ ସ୍ୱାଭାବିକ ବର୍ଷା ହୋଇପାରେ। ମାତ୍ର ବିହାର, ଝାଡ଼ଖଣ୍ଡ, ଓଡ଼ିଶା ଓ ପଶ୍ଚିମବଙ୍ଗରେ ଜୁଲାଇ ଓ ଅଗଷ୍ଟ ମାସରେ ସ୍ୱାଭାବିକ୍‌ଠାରୁ କମ୍‌ ବର୍ଷା ହେବ। ସେପ୍ଟେମ୍ବର ମାସରେ ବର୍ଷା ପୁନର୍ବାର ସ୍ୱାଭାବିକସ୍ତରକୁ ପେରିବ।

ସାଧାରଣତଃ ଜୁନ୍‌ ୧ ତାରିଖରୁ କେରଳ ଓ ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ମୌସୁମୀର ଆଗମନ ହୋଇଥାଏ। ପ୍ରାୟ ୪ ମାସ ଧରି ମୌସୁମୀ ଦେଶରେ ସକ୍ରିୟ ରହେ ଓ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷାକୁ ସ୍ୱାଭାବିକ ଭାବରେ ଗଣା ଯାଇଥାଏ। ଚାଷ ପାଇଁ ଏହା ଉତ୍ତମ ସଙ୍କେତ ବୋଲି କୁହାଯାଏ। ସ୍କାଏମେଟ୍‌ ସୂଚନା ଅନୁସାରେ ଜୁନରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଅବଧିରେ ୮୬୮.୬ ମି.ମି ବର୍ଷାକୁ ସ୍ୱାଭାବିକ କୁହାଯାଇଥାଏ। ଏହି ସମୟ ମଧ୍ୟରେ ଅନ୍ତତଃପକ୍ଷେ ଏତିକି ପରିମାଣର ବର୍ଷା ହେବାର ଆବଶ୍ୟକତା ରହିଛି । ମାତ୍ର ଚଳିତ ବର୍ଷ ଦେଶର ଅନ୍ୟାନ୍ୟ ଭାଗରେ ବର୍ଷାର ପରିମାଣ ସ୍ୱାଭାବିକ ଥିବାବେଳେ ପୂର୍ବ ଭାରତର ଓଡ଼ିଶା ସମେତ ୪ ରାଜ୍ୟ ସ୍ୱାଭାବିକ ବର୍ଷାରୁ ବଞ୍ଚିତ ହେବ।

ସ୍କାଏମେଟ ପରିଚାଳନା ନିର୍ଦ୍ଦେଶକ ଅଜିତ୍‌ ସିଂହ କହିଛନ୍ତି ଯେ ଚଳିତ ବର୍ଷ ମୌସୁମୀ ଆଗମର ପ୍ରାରମ୍ଭରେ ଅଲ୍‌ ନିନୋ ପ୍ରଭାବରେ ବର୍ଷା ପ୍ରଭାବିତ ହୋଇପାରେ। ତେବେ ପରବର୍ତ୍ତୀ ସମୟରେ ଏହା ସ୍ୱାଭାବିକ ହେବ। ତାଙ୍କ ସଂସ୍ଥା ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁସାରେ ଓଡ଼ିଶାରେ ଜୁନ୍‌ ମାସରେ ୩୦% କମ୍‌ ବର୍ଷା ହୋଇପାରେ। ସେହିପରି ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ୨୦% କମ୍‌ ବର୍ଷା ହେବାର ସମ୍ଭାବନା ରହିଛି। କେନ୍ଦ୍ର ସରକାରଙ୍କ ଭୂ ବିଜ୍ଞାନ ମନ୍ତ୍ରଣାଳୟ ୨୦୨୨ରେ ମୌସୁମୀରେ ସ୍ୱାଭାବିକ ବର୍ଷାକୁ ନେଇ ଏକ ବିସ୍ତୃତ ରିପୋର୍ଟ ପ୍ରକାଶ କରିଥିଲା। ଜୁନ୍‌ ମାସରୁ ସେପ୍ଟେମ୍ବର ମାସ ଅର୍ଥାତ୍‌ ଲଙ୍ଗ ପିରିଅଡ଼୍‌ ଆଭେରେଜ୍‌ (ଏଲ୍‌ପିଏ)ରେ ୮୭୦ମିମି ବର୍ଷାକୁ ସ୍ୱାଭାବିକ ବର୍ଷା ବୋଲି ଉଲ୍ଲେଖ କରିଛି। ପୂର୍ବରୁ ୨୦୧୮ ମସିହାର ରିପୋର୍ଟରେ ୮୮୦ ମିଲିମିଟର ବର୍ଷାକୁ ସ୍ୱାଭାବିକ ବୋଲି କୁହାଯାଉଥିଲା।

ଦେଶର ଅର୍ଥନୀତି ନିମନ୍ତେ ବର୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ସାରା ଦେଶରେ ହେଉଥିବା ମୋଟ ବର୍ଷାର ୭୦% ମୌସୁମୀରେ ହିଁ ହୋଇଥାଏ। ଦେଶର ପ୍ରାୟ ୮୦% କୃଷକ ଚାଷ ପାଇଁ ବର୍ଷା ଉପରେ ନିର୍ଭର କରିଥାଆନ୍ତି, ତେଣୁ କମ୍‌ ବର୍ଷା ହେଲେ ସ୍ୱାଭାବିକ ଭାବରେ ଫସଲ ଅମଳ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଓ ଦରଦାମ ବୃଦ୍ଧି ଘଟିଥାଏ। ଦେଶର ଅର୍ଥ ବ୍ୟବସ୍ଥାରେ କୃଷି କ୍ଷେତ୍ରର ଅବଦାନ ପ୍ରାୟ ୨୦%। ଅନୁରୂପ ଭାବରେ ଦେଶର ଅର୍ଦ୍ଧାଧିକ ଲୋକ ଜୀବିକା ନିମନ୍ତେ କୃଷି ଉପରେ ନିର୍ଭର କରିଥାଆନ୍ତି। ତେଣୁ ଓଡ଼ିଶାରେ କମ୍‌ ବର୍ଷା ଆଶଙ୍କା କୃଷି କ୍ଷେତ୍ର ଉପରେ ନକରାତ୍ମକ ପ୍ରଭାବ ପକାଇବାର ଆଶଙ୍କା ରହିଥିବା କୁହାଯାଉଛି।

Related Articles

Back to top button