ରାଜ୍ୟର ପ୍ରଥମ ଓଡ଼ିଆ ମହିଳା ସିନେ ଗୀତିକାର ବିନୋଦିନୀ ଦେବୀଙ୍କ ଦେହାନ୍ତ

ରାଜ୍ୟର ପ୍ରଥମ ଓଡ଼ିଆ ମହିଳା ସିନେ ଗୀତିକାର ବିନୋଦିନୀ ଦେବୀ ଆଉ ନାହାନ୍ତି । ଓଡ଼ିଆ ସିନେମା ଜଗତରେ ଅନେକ ମନଛୁଆଁ ସଙ୍ଗୀତ ସୃଷ୍ଟି କ୍ଷେତ୍ରରେ ନିଜକୁ ଉତ୍ସର୍ଗ କରିଦେଇଥିବା ବିନୋଦିନୀ କଟକ ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ । ମୃତ୍ୟୁ ବେଳକୁ ବିନୋଦିନୀଙ୍କୁ ୮୬ ବର୍ଷ ବୟସ ହୋଇଥିଲା ।

୧୯୩୭ ମସିହାରେ କଟକ ଜିଲ୍ଲା ତିଗିରିଆରେ ବିନୋଦିନୀ ଜନ୍ମଗ୍ରହଣ କରିଥିଲେ । ସେ ୧୯୬୫ରେ ପ୍ରଥମ ଥର ପାଇଁ ମଲାଜହ୍ନ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ । ଓଡ଼ିଆ ଚଳଚ୍ଚିତ୍ର ପ୍ରତି ତାଙ୍କର ଅନେକ ଅବଦାନ ରହିଥିଲା । ‘ତଅପୋଇ’, ‘ଅସ୍ତରାଗ’, ‘ମୁଁ ତୁମେ ଓ ସେ’, ‘ଶ୍ରୀ ଜଗନ୍ନାଥ ଓ ଜୟ ଜଗନ୍ନାଥ’ ପାଇଁ ସେ ଗୀତ ରଚନା କରିଥିଲେ । ତାଙ୍କର ମୃତ୍ୟୁରେ ରାଜ୍ୟ ଚଳଚ୍ଚିତ୍ର, ସଙ୍ଗୀତ ଜଗତର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ପ୍ରଶଂସକମାନେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ମସ୍ତିଷ୍କାଘାତ ସମସ୍ୟା କାରଣରୁ ଦୀର୍ଘ ଦିନ ଧରି ବିନୋଦିନୀ ଶଯ୍ୟାଶାୟୀ ରହିଥିଲେ । ସେ ଅନୁଗୁଳରେ ସାନପୁଅଙ୍କ ନିକଟରେ ରହି ଚିକିତ୍ସିତ ହେଉଥିଲେ । ଆଜି ସକାଳେ ତାଙ୍କର ବିୟୋଗ ଘଟିଥିଲା । ସେ କଟକର ଆକାଶବାଣୀର ଜଣେ ସ୍ୱୀକୃତିପ୍ରାପ୍ତ ଗୀତିକାର ଥିଲେ । ତାଙ୍କ ରଚିତ ସିନେମା ଗୀତ ମଧ୍ୟରେ ରକତ ଟଳମଳ ଖଇର ପାଞ୍ଚପଳ, କାଳିଆ ଆସିଲା ଭାଇ କାଳିଆ ଆସିଲା, ସେ ତ ଭକତ ଭାବରେ ବନ୍ଧା, ନିରିମାଖୀ କୁଆଁରୀ ମୁଁ, ନଟ ହେ ମଞ୍ଜି ପୋତିଲ ବେଶ୍ ଲୋକପ୍ରିୟ ଥିଲା । ଓଡ଼ିଆ ସଙ୍ଗୀତ ଜଗତର ବେତାଜ ବାଦଶାହ ଅକ୍ଷୟ ମହାନ୍ତି ତାଙ୍କୁ ପ୍ରଥମେ ମଲାଜହ୍ନ ଫିଲ୍ମରେ ଓ ପରବର୍ତ୍ତୀ ସମୟରେ ଅନ୍ୟ ସିନେମାରେ ଗୀତ ଲେଖିବାର ସୁଯୋଗ ଦେଇଥିଲେ । ବିନୋଦିନୀ ଜଣେ ଉଚ୍ଚକୋଟିର ସାହିତ୍ୟିକା ମଧ୍ୟ ଥିଲେ ।

Related Articles

Back to top button