
ବିଶିଷ୍ଠ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ
ଭୁବନେଶ୍ୱର: ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେଠାରେ ତାଙ୍କୁ ଏକ ପ୍ରତିନିଧି ଦଳ ଭେଟିଥିବା ସୂଚନା ମିଳିଛି।କିଛି ଦିନ ତଳେ ପ୍ରଣବଙ୍କୁ ଡେଙ୍ଗୁ ହୋଇଥିଲା। ତେଣୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛଦିନ ମେଡିକାଲରେ ଚିକିତ୍ସାଧୀନ ରହିବା ପରେ ସେ ସୁସ୍ଥ ହୋଇ ଘରକୁ ଫେରିଥିଲେ। ପରେ ପ୍ରଣବ ଅତ୍ୟଧିକ ଦୁର୍ବଳ ଅନୁଭବ କରିଥିଲେ ତେଣୁ ତାଙ୍କୁ ପୁଣି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ପ୍ରଣବଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲଥିବା ତାଙ୍କ ପତ୍ନୀ କସ୍ତୁରୀକା ପଟ୍ଟନାୟକ କହିଛନ୍ତି। ଏହାସହ ପ୍ରଣବଙ୍କ ଆସୁ କାମନା କରିଛନ୍ତି ସାରା ଓଡ଼ିଶାବାସୀ ଏବଂ ତାଙ୍କୁ ଭଲ ପାଉଥିବା କୋଟି କୋଟି ସଙ୍ଗୀତପ୍ରେମୀ ।
୧୯୩୮ ମସିହା ଜାନୁଆରୀ ମାସ ୨୦ ତାରିଖରେ ପ୍ରଣବ ଜନ୍ମଗ୍ରହଣ କରିଥିଲେ। ପିତା ଲାଲମୋହନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇ ସେ ବାଲ୍ୟକାଳରୁ ହିଁ ସଂଗୀତ ପ୍ରତି ଆକୃଷ୍ଟ ହୋଇଥିଲେ। ଗୁରୁ କୁନାଳ ଆଦୀନାରାୟଣ ରାଓଙ୍କଠାରୁ ସଂଗୀତ ଶିକ୍ଷାଗ୍ରହଣ କରିଥିଲେ। ୧୯୫୮ ମସିହାରେ ଭୁବନେଶ୍ୱର ମିଶ୍ର ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ମା’ରେ ପ୍ରଣବ ପ୍ରଥମ ଥର ପାଇଁ ଗାଇବାର ସୁଯୋଗ ପାଇଥିଲେ । ଶ୍ରୀ ଲୋକନାଥ, ସୂର୍ଯ୍ୟମୁଖୀ, ସିନ୍ଦୂର ବିନ୍ଦୁ, ଶେଷ ଶ୍ରାବଣ, ଚିହ୍ନା ଅଚିହ୍ନା, ବତୀଘର ଆଦି ଚଳଚ୍ଚିତ୍ର ତାଙ୍କୁ ଲୋକପ୍ରିୟତାର ଶିଖରରେ ପହଞ୍ଚାଇ ପାରିଥିଲା । ଚଳଚ୍ଚିତ୍ର ଜୀବନରେ ସେ ବହୁ ଜାତୀୟସ୍ଥରର କଳାକାରମାନଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି । ସେମାନଙ୍କ ମଧ୍ୟରେ ଭୁପିନ୍ଦର ସିଂହ, ନିର୍ମଳା ମିଶ୍ର, ଉଷା ମଙ୍ଗେସକର, ବାଣୀ ଜୟରାମ, ଏସ. ଜାନକୀ ପ୍ରମୁଖ ଅନ୍ୟତମ । ପ୍ରାୟ ୨୦୦ ଓଡ଼ିଆ ଚଳଚ୍ଚିତ୍ରରେ ପ୍ରଣବ କଣ୍ଠଦାନ କରିସାରିଛନ୍ତି ।