ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ନୂଆ ବୃଦ୍ଧାଶ୍ରମ: ରାଜ୍ୟ ଏସଏସଇପିଡି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କଠାରୁ ପ୍ରସ୍ତାବ ମଗାଯାଇଛି

ଭୁବନେଶ୍ୱର: ଆଜିକାଲି ଲୋକଙ୍କର ଜୀବନଧାରଣର ସମୟ ବୃଦ୍ଧି ପାଇଛି । ତେଣୁ ଅଧିକାଂଶ ଲୋକ ବେଶି ବର୍ଷ ବଞ୍ଚୁଥିବା ଦେଖାଯାଉଛି । ତେବେ ମଣିଷ ଦୀର୍ଘାୟୁ ହେବା ବୃଦ୍ଧବ୍ୟକ୍ତିଙ୍କ ପାଇଁ ଦୁଃଖର କାରଣ ପାଲଟିଛି । କିଛି ବୃଦ୍ଧ ବ୍ୟକ୍ତି ନିଃସନ୍ତାନ କାରଣରୁ ତ ଆଉ କିଛି ନିର୍ଯାତନାର ଶିକାର ହେଉଥିବା ଦେଖାଯାଉଛି । ତେବେ ଏପରି ସମସ୍ୟାର ସମାଧାନ ପାଇଁ ଏକମାତ୍ର ଭରସା ବୃଦ୍ଧାଶ୍ରମ ।

ତେବେ ସଦ୍ୟ ସୂଚନା ମୁତାବକ, ରାଜ୍ୟ ସରକାର ବୃଦ୍ଧ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇଛନ୍ତି । ପ୍ରତ୍ୟେକ ଜିଲ୍ଲାରେ ନୂଆ ବୃଦ୍ଧାଶ୍ରମ ଖୋଲିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ରାଜ୍ୟରେ କେନ୍ଦ୍ର ସରକାରଙ୍କ ଅଟଳ ବୟୋ ଅଭ୍ୟୁଦୟ ଯୋଜନା ଅଧିନରେ ୯୧ଟି ବୃଦ୍ଧାଶ୍ରମ ରହିଥିବା େବେଳ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ (ଏସଏସଇପିଡି) ଦ୍ୱାରା କିଛି ଜିଲ୍ଲାରେ ବୃଦ୍ଧାଶ୍ରମ ଖୋଲାଯାଇଛି । ଏ ବାବଦରେ ରାଜ୍ୟ ଏସଏସଇପିଡି ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ଠାରୁ ପ୍ରସ୍ତାବ ମଗାଯାଇଛି ।

ବୃଦ୍ଧାଶ୍ରମ ପରିଚାଳନା ପାଇଁ ରାଜ୍ୟ ସରକାର ବର୍ଷକୁ ପାଖାପାଖି ୭୦ ଲକ୍ଷ ଟଙ୍କା ବ୍ୟୟ କରୁଥିବା ବେଳେ ଆସନ୍ତାବର୍ଷ ଏନେଇ ବ୍ୟୟବରାଦ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଇବା ପୂର୍ବରୁ ଜିଲ୍ଲାପାଳମାନେ ତାହାକୁ ଭଲ ଭାବେ ଯାଞ୍ଚ କରିବେ । ଆସନ୍ତା ୨୨ ତାରିଖ ସୁଦ୍ଧା ଇ-ଅନୁଦାନ ପୋର୍ଟାଲ ମାଧ୍ୟମରେ ଏ ସମ୍ପର୍କିତ ପ୍ରସ୍ତାବ ପଠାଇବାକୁ କୁହାଯାଇଛି । ଆସନ୍ତା ୨୦୨୬ ସୁଦ୍ଧା ରାଜ୍ୟରେ ବୃଦ୍ଧ ବ୍ୟକ୍ତିଙ୍କ ସଂଖା ପାଖାପାଖି ୬୩ ଲକ୍ଷରେ ପହଞ୍ଚିଯିବ । ତେଣୁ ବରିଷ୍ଠ ନାଗରିକଙ୍କ ସମସ୍ୟାର ଦୂରୀକରଣ ପାଇଁ ଓକାକ୍ ମାଧ୍ୟମରେ ଏକ ହେଲପ ଲାଇନ୍ ନମ୍ବର ୧୪୫୫୬୭ ଜାରି କରାଯାଇଛି ।

Related Articles

Back to top button