ନାବରାତ୍ରର ପ୍ରଥମ ଦିନରେ ମା’ଙ୍କୁ ‘ଶୈଳପୁତ୍ରୀ’ ରୂପରେ ପୂଜା ପାଉଛନ୍ତି ମା’ ଦୁର୍ଗା

ପବିତ୍ର ମହାଳୟା ପରେ ଆରମ୍ଭ ହୋଇଛି ମା’ ଜଗତଜନନୀଙ୍କର ଆଗମନୀର ପର୍ବ । ହିନ୍ଦୁ ରୀତି ନୀତି ଅନୁସାରେ ପାର୍ବଣର ଶୁଭ ଅବସରରେ ନଅ ଦିନ ଧରି ମା’ଦୁର୍ଗାଙ୍କର ନଅଟି ସ୍ୱରୂପର ଉପାସନା କରାଯାଏ।ନାବରାତ୍ରର ପ୍ରଥମ ଦିନରେ ମା’ଙ୍କୁ ‘ଶୈଳପୁତ୍ରୀ’ ଭାବରେ ପୂଜା କରାଯାଏ । ମା’ ପର୍ବତରାଜ ହିମାଳୟଙ୍କ ପୁତ୍ରୀ ହୋଇଥିବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ । ପୌରାଣିକ କିମ୍ବଦନ୍ତୀ ଅନୁସାରେ ପୂର୍ବ ଜନ୍ମରେ ମା’ ସତୀ ନାମରେ ପରିଚିତ ଥିଲେ ଏବଂ ଭଗବାନ ଶିବଙ୍କ ପତ୍ନୀ ଥିଲେ। ସତୀଙ୍କ ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ ଅପମାନିତ କରିଥିଲେ । ସେଥିପାଇଁ ସତୀ ଯଜ୍ଞ ଅଗ୍ନିରେ ନିଜକୁ ଭଷ୍ମ କରିଦେଇଥିଲେ। ପରବର୍ତ୍ତୀ ଜନ୍ମରେ, ଏହି ସତୀ ଶୈଳପୁତ୍ରୀ ହୋଇ ଜନ୍ମ ନେଇଥିଲେ ଓ ଭଗବାନ ଶିବଙ୍କୁ ବିବାହ କରିଥିଲେ । ଏହି ସ୍ୱରୂପରେ ମା’ ବୃଷଭ ପିଠିରେ ବିରାଜମାନ କରିଥାନ୍ତି । ତେଣୁ ମା’ ଙ୍କୁ ବୃଷାରୁଢା ନାମରେ ମଧ୍ୟ ଆବାହନ କରାଯାଏ । ମା’ଡାହାଣ ହସ୍ତରେ ତ୍ରିଶୂଳ ଏବଂ ବାମ ହସ୍ତରେ କମଳ ପୁଷ୍ପ ସହିତ ମସ୍ତକରେ ଅର୍ଦ୍ଧଚନ୍ଦ୍ରଶୋଭା ପାଇଥାଏ । ମା’ଙ୍କ ଆରାଧନାରେ :-

ମାତା ଶୈଳପୁତ୍ରୀଙ୍କ ପୂଜା ଉପାସନା କଲେ ସୂର୍ଯ୍ୟ ମହାଗ୍ରହଙ୍କ ଦୋଷ ସମସ୍ୟା ଦୂର ହୋଇଥାଏ । ମାଆଙ୍କ ପାଖରେ ଶୁଦ୍ଧ ଘିଅର ଭୋଗ କଲେ ସୂର୍ଯ୍ୟ ମହାଗ୍ରହ ଆର୍ଶିବାଦ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ କରାଯାଏ ।ଏହି ବିଶେଷ ଦିନରେ ମାଆଙ୍କୁ ପୂଜା କଲେ ମୁଳାଧାର ଚକ୍ର ଜାଗ୍ରତ ହୁଏ ଏବଂ ଅନେକ ସିଦ୍ଧି ପ୍ରାପ୍ତ ହେବା ସହ ଜୀବନର ସମସ୍ତ କଷ୍ଟ ଓ ଦୁଃଖ ଦୂର ହୋଇଥାଏ ।ଏହି ସ୍ୱରୂପରେ ମାଆଙ୍କର ପ୍ରିୟ ରଙ୍ଗ ଧଳା ବୋଲି ବିଶ୍ୱାସ ରହିଛି । ସେଥିପାଇଁ ମାଆଙ୍କୁ ଧଳା ଫୁଲ ଅର୍ପଣ କରାଯାଏ ଓ ଧଳା ମିଠା ଭୋଗ ଲଗାଯାଏ । ମାଆ ଶୈଳପୁତ୍ରୀଙ୍କୁ ପୂଜା କଲେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିଥାଏ । ମା’ଙ୍କ ଆର୍ଶିବାଦରୁ ମନ ଶାନ୍ତ ରହେ । ମାଆଙ୍କୁ ପାନ ପତ୍ରରେ ଲବଙ୍ଗ ଓ ମିଶ୍ରି ଅର୍ପଣ କଲେ ନକରାତ୍ମକ ଶକ୍ତିର ବିନାଶ ହୋଇଥାଏ ।

Related Articles

Back to top button