
ଶ୍ରାବଣ ମାସର ପ୍ରଥମ ସୋମବାର ଜଳଲାଗି କରିବେ ଭକ୍ତ : ସୁରକ୍ଷା ବ୍ୟବସ୍ଥା କଡାକଡି କରିଛି କମିଶନରେଟ ପୁଲିସ
ଆସନ୍ତାକାଲି ଶ୍ରାବଣ ମାସର ପ୍ରଥମ ସୋମବାର। ଭକ୍ତମାନେ ମହାଦେବଙ୍କୁ ଜଳଲାଗି କରିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ ବେଶ କଡାକଡି କରିଛି କମିଶନରେଟ ପୁଲିସ। କାଉଡ଼ିଆଙ୍କର ସୁରକ୍ଷା, ଟ୍ରାଫିକ ବ୍ୟବସ୍ଥା,କ୍ରାଉଡ଼ ମ୍ୟାନେଜମେଣ୍ଟ, ଅପ୍ରିତିକର ପରିସ୍ଥିତିକୁ ରୋକିବା ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଛି।ଲିଙ୍ଗରାଜ ମନ୍ଦିର ଓ ଅନ୍ୟ ୨୬ ଟି ସ୍ଥାନରେ ୨ ଜଣ ଅତିରିକ୍ତ ଡିସିପି, ୪ ଜଣ ଏସିପି, ୬ ଇନ୍ସପେକ୍ଟର, ୩୦ ସବଇନ୍ସପେକ୍ଟର ଓ ଏଏସଆଇ ଙ୍କ ସହ ମୋଟ ୧୫ ସେକ୍ସନ ଫୋର୍ସ ମୁତୟନ ହେବେ। ରାଜଧାନୀରେ କାଉଡ଼ିଆ ଯିବା ଆସିବା ବାଟରେ ମୋବାଇଲ ପେଟ୍ରୋଲିଂ ଟିମ, ପିସିଆର ରହିବ। ଦୁର୍ଘଟଣା ରୋକିବା ସହ ଆଶୁ ଚିକିତ୍ସା ପାଇଁ ଛକ ମାନଙ୍କରେ ଫାଷ୍ଟଏଡ଼ ଓ ମୋବାଇଲ ମେଡ଼ିକାଲ ୟୁନିଟ ରହିବ। ଜଳ ଉଠାଇବା ସ୍ଥାନ ବା ବିଭିନ୍ନ ନଦୀ ପଠାରେ ଓଡ୍ରାଫ ଓ Fire fighting unit ନିୟୋଜିତ ରହିବେ। ବିଭିନ୍ନ ସ୍ଥାନରେ ସିସିଟିଭି ରହିଛି। କଣ୍ଟ୍ରୋଲ ରୁମ ମଧ୍ୟରୁ ଏସବୁକୁ ମନିଟର କରାଯିବ।
ସେପଟେ ଲିଙ୍ଗରାଜ ମନ୍ଦିରରେ ପ୍ରାୟ ୨ ଲକ୍ଷ କାଉଡ଼ିଆ ଆସିବାର ସମ୍ଭାବନା ରହିଛି। ୫ଟି ସୋମବାରରେ ଲିଙ୍ଗରାଜ ମନ୍ଦିରରେ ସାଢେ ୩ ଟାରେ ମଙ୍ଗଳ ଆଳତି ଅବକାଶ କରାଯିବ । ୪ ଟାରୁ ସାହାଣ ମେଲା ଦର୍ଶନ ହେବ । ମନ୍ଦିର ଭିତରେ ଏଏସଆଇ ପକ୍ଷରୁ ବ୍ୟାରିକେଡ କରାଯାଇଛି। ମନ୍ଦିର ଭିତରକୁ ବ୍ଲେଡ଼ ଓ ଛୁରୀ ପ୍ରଵେଶରେ କଟକଣା ଲଗାଯାଇଛି । ଭୋର ୪ ଟାରୁ ଦିନ ୧୨ ଟା ପର୍ଯ୍ୟନ୍ତ ଜଳଲାଗି କରାଯିବ । ଏହାପରେ ମନ୍ଦିର ନୀତିକାନ୍ତି ଆରମ୍ଭ କରାଯିବ। ବେଢା ଭିତରେ ଥିବା ଆଡ଼ କାଠ ନିକଟରେ ଥିବା ଏକ ତମ୍ବା ପାତ୍ରରେ ପାଣି ଢାଳିବେ । କୌଣସି ଭକ୍ତ ପାଣି ଆଣିଥିବା କଳସ ଭିତରକୁ ନେଇ ଯାଇପାରିବେ ନାହିଁ। କଳସ ବେଢାରେ ରଖି ଭିତରକୁ ଦର୍ଶନ କରିବାକୁ ଯାଇପାରିବେ ବୋଲି ଡିସିପି କହିଛନ୍ତି।