ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଆପତ୍ତିଜନକ ମନ୍ତବ୍ୟ ମାମଲା, ଉଦିତ ରାଜଙ୍କୁ NCWଙ୍କ ନୋଟିସ୍‌

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ପର୍କରେ କଥିତ ଅପମାନଜନକ କମେଣ୍ଟ ମାମଲା ଏବେ ବିବାଦୀୟ  ହୋଇପଡିଛି। ରାଷ୍ଟ୍ରୀୟ ମହିଳା ଆୟୋଗ (ଏନସିଡବ୍ଲୁ) ରାଷ୍ଟ୍ରପତି ମୁର୍ମୁଙ୍କ ଉପରେ କରାଯାଇଥିବା କମେଣ୍ଟକୁ ନେଇ ପୂର୍ବତନ ସାଂସଦ ଉଦିତ ରାଜଙ୍କୁ ନୋଟିସ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗୁଜରାଟରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟ ଦେଶର ୭୬ ପ୍ରତିଶତ ଲୁଣ ଉତ୍ପାଦନ କରୁଥିବାର କହିଥିଲେ। ଏଥିରୁ ଦେଶର ସବୁ ଲୋକେ ଗୁଜରାଟର ନମକ ଖାଉଥିବା କୁହାଯାଇପାରେ ବୋଲି ରାଷ୍ଟ୍ରପତି ମୁର୍ମୁ କହିଥିଲେ।

ରାଷ୍ଟ୍ରପତିଙ୍କ ଏହି ଅଭିଭାଷଣ ସୋସିଆଲ ମିଡିଆରେ ଅପଲୋଡ ହୋଇଥିବା ବେଳେ ପୂର୍ବତନ କଂଗ୍ରେସ ସାଂସଦ ଉଦିତ ରାଜ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଏ ନେଇ ଉଦିତ ରାଜ ଟ୍ୱିଟରରେ ଏକ ପୋଷ୍ଟ କରିଥିବା ବେଳେ ଚାମଚାଗିରିର ଏକ ସୀମା ରହିବା ଦରକାର ବୋଲି ଉଲ୍ଲେଖ କରିଥିଲେ। ଏହା ସହ ଦ୍ରୌପଦୀ ମୁର୍ମୁଙ୍କ ଭଳି ରାଷ୍ଟ୍ରପତି କେଉଁ ଦେଶକୁ ନ ମିଳନ୍ତୁ ବୋଲି ମଧ୍ୟ ଉଲ୍ଲେଖ କରିଥିଲେ।

ଉଦିତରାଜଙ୍କ ଦ୍ୱାରା ଦ୍ରୌପଦୀ ମୁର୍ମୁଙ୍କ ପ୍ରତି କରାଯାଇଥିବା ଟିପ୍ପଣୀର ଏନସିଡବ୍ଲୁ ନିଜ ଆଡୁ ସଂଜ୍ଞାନ ନେଇଥିବା ବେଳେ ଏହାକୁ ଅପମାନଜନକ ବୋଲି କହିଛନ୍ତି ଓ ଉଦିତ ରାଜଙ୍କୁ ଆୟୋଗ ଏକ ନୋଟିସ୍ ମଧ୍ୟ ପଠାଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ପୂର୍ବତନ କଂଗ୍ରେସ ସାଂସଦ ଉଦିତ ରାଜ ଜଣେ ଅବସରପ୍ରାପ୍ତ ବ୍ୟୁରୋକ୍ରାଟ୍ । ସରକାରୀ ଚାକିରୀରୁ ଅବସର ପରେ ସେ ସକ୍ରିୟ ରାଜନୀତିରେ ଯୋଗ ଦେଇଥିବା ବେଳେ ୨୦୧୯ ପୂର୍ବରୁ ବିଜେପି ସାଂସଦ ଥିଲେ। ତେବେ ଦଳରେ ତାଙ୍କ ଟିକେଟ କଟିଯିବାରୁ ସେ ୨୦୧୯ ମସିହାରେ କଂଗ୍ରେସରେ ଯୋଗ ଦେଇଥିଲେ।

Related Articles

Back to top button