ଓଡ଼ିଶାରେ କୋଭିଡ ପଜିଟିଭ୍‍ ନମୁନାର ଜିନୋମ ସିକୁଏନ୍ସିଂ ହେବ, ବୁଷ୍ଟର ଡୋଜ୍‍ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ

ଦେଶରେ କୋଭିଡ ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ପରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଗୁଆ ପଦକ୍ଷେପ ସ୍ୱରୂପ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବନ୍ଦର ଓ ବିମାନ ବନ୍ଦର ଗୁଡ଼ିକରେ ବାହାରୁ ଆସୁଥିବା ଲୋକଙ୍କ ତଥ୍ୟ ସଂଗ୍ରହ କରାଯିବା ସହ ସେମାନଙ୍କ ସ୍ୱାସ୍ଥ୍ୟ ସଂପର୍କରେ ସୂଚନା ସଂଗ୍ରହ କରାଯିବ । ରାଜ୍ୟରେ ପ୍ରତିଟି କୋଭିଡ ପଜିଟିଭ୍‍ ନମୁନାର ଜିନୋମ ସିକୁଏନ୍ସିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ତିନୋଟି ପ୍ରମୁଖ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ୨୦ଟି ଲେଖାଏଁ ଶଯ୍ୟା ପ୍ରସ୍ତୁତ ରଖାଯିବ । ଅନ୍ୟ ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୦ଟି ଲେଖାଏଁ ଅକ୍ସିଜେନ୍‍ ସଂଯୋଗ ଥିବା ଶଯ୍ୟା ପ୍ରସ୍ତୁତ ରଖାଯିବ । ଆବଶ୍ୟକ ପଡ଼ିଲେ ଶଯ୍ୟା ସଂଖ୍ୟା ଆହୁରି ବୃଦ୍ଧି କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ସଚିବ କହିଛନ୍ତି ।

ବୁଷ୍ଟର ଡୋଜ୍‍କୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ବୁଷ୍ଟର ଡୋଜ୍‍ ନେଇ ନଥିବା ଲୋକଙ୍କୁ ତୁରନ୍ତ ଟିକା ଦେବା ପାଇଁ ପଦକ୍ଷେପ ନିଆଯିବ । ସାମାନ୍ୟ ଲକ୍ଷଣ ଦେଖାଗଲେ ପରୀକ୍ଷା କରାଇବା ସହିତ ନିଜକୁ ସଙ୍ଗରୋଧରେ ରଖିବା ପାଇଁ କୁହାଯାଇଛି । ଆଗକୁ ଉତ୍ସବ ଋତୁ ଥିବାରୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗାମୀ ହକି ବିଶ୍ୱକପ୍‍କୁ ଦୃଷ୍ଟିରେ ରଖି କଟକ, ସୁନ୍ଦରଗଡ଼, ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପରିମାଣର ଗାଡ଼ି ଓ ମାନବ ସମ୍ବଳ ଯୋଗାଇ ଦିଆଯିବ । ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଡାକ୍ତରଖାନା ଗୁଡ଼ିକରେ କୋଭିଡ ପାଇଁ ମାନବ ସମ୍ବଳ ନିୟୋଜିତ ରହିବେ । ରାଉରକେଲା, ଭୁବନେଶ୍ୱର ଓ କଟକରେ ବ୍ୟାପକ କୋଭିଡ ପରୀକ୍ଷା ପାଇଁ ପଦକ୍ଷେପ ନିଆଯିବ । ଆଇସିଏମ୍‍ଆର ମାର୍ଗଦର୍ଶିକା ଅନୁସାରେ ସବୁ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି ।

ରାଜ୍ୟ ଔଷଧ ନିଗମକୁ ଆବଶ୍ୟକ ପରିମାଣର ଔଷଧ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ ପାଇଁ ପର୍ଯ୍ୟାପ୍ତ କିଟ୍‍ ଏବଂ ଆଗାମୀ ୩ ମାସ ପାଇଁ ଅକ୍ସିଜେନ ମହଜୁଦ ରଖିବା ପାଇଁ କୁହାଯାଇଛି । ଅପରପକ୍ଷରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସଚିବ ଓଡ଼ିଶାକୁ ଅଧିକ ଟିକା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି । କେନ୍ଦ୍ର ସରକାର ଯୋଗାଇ ଦେଇଥିବା ସମସ୍ତ ଟିକା ଗତ ନଭେମ୍ବର ୨୮ ତାରିଖ ସୁଦ୍ଧା ଶେଷ ହୋଇଯାଇଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟକୁ ତୁରନ୍ତ ଟିକା ଯୋଗାଣ ଆରମ୍ଭ କରିବା ପାଇଁ ସେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଅନୁରୋଧ କରିଛନ୍ତି । ଅନ୍ୟ ପକ୍ଷରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କରୋନାକୁ ନେଇ ରାଜ୍ୟବାସୀ ଅଯଥାରେ ଆତଙ୍କିତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି । ଯଦିଓ ବିଏଫ୍.୭ ଭାରିଏଣ୍ଟ ସ ଂକ୍ରମଣ କ୍ଷମତା ଅଧିକ ଅଛି, ତେବେ ରାଜ୍ୟରେ ଏହାର ଫାଟାଲିଟି ଓ ମୋଟାଲିଟି ବିଶେଷ ନାହିଁ । ସେ କହିଛନ୍ତି ଯେ କରୋନା ଲକ୍ଷଣ ଯାହା ମଧ୍ୟରେ ଦେଖା ଦେଉଛି ସେ ତୁରନ୍ତ ଟେଷ୍ଟିଂ କରାନ୍ତୁ । ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ମଜଭୁତ ଅଛି । ଆଗକୁ ଯଦି ସଂକ୍ରମଣ ଆସେ କିପରି ମୁକାବିଲା କରାଯିବ ସେନେଇ ଆମେ ପ୍ରସ୍ତୁତ ହୋଇ ଅଛୁ । ସେ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଗାଇଡ଼ ଲାଇନ ଅନୁସାରେ ୨୭ ତାରିଖରେ ମକ୍ ଡ୍ରିଲ୍ ହେବ ।

Related Articles

Back to top button