
‘ଗୋଲଡ ସ୍କଚ ଆୱାର୍ଡ’ ପାଇବାକୁ ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର ମନୋନୀତ
ଭୁବନେଶ୍ୱର: ଓଡ଼ିଶା ମହାକାଶ ଉପଯୋଗ କେନ୍ଦ୍ର (ଓରସାକ) ଚଳିତବର୍ଷ ପାଇଁ ସମ୍ମାନଜନକ ‘ଗୋଲଡ ସ୍କଚ ଆୱାର୍ଡ’ ପାଇବାକୁ ମନୋନୀତ ହୋଇଛି। ଏହି ପୁରସ୍କାର ଦୁଇଟି କ୍ଷେତ୍ର ପାଇଁ ମିଳିଛି। ବିନା ଜମିରେ ଚାଷ କରୁଥିବା ନକଲି ଚାଷୀଙ୍କୁ ସାଟେଲାଇଟ ଜିଆଇଏସ ଜରିଆରେ ଧରିବା ଏବଂ ସଠିକ ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାରେ ଓରସାକ ବେଶ ସଫଳ ହୋଇଛି। ଏଥିପାଇଁ ଏହି ସଂସ୍ଥା ଦେଶରେ ଖୁବ ସୁନାମ ଅର୍ଜନ କରିଛି।
ରାଜ୍ୟରେ ପ୍ରତି ଗ୍ରାମରେ ଧାନ ଫସଲ ଥିବା ପ୍ଲଟ ଭିତ୍ତିକ କ୍ଷେତ୍ରଗୁଡ଼ିକର ବିଶ୍ଳେଷଣ ପାଇଁ ଓଡ଼ିଶା ସରକାରଙ୍କ ତରଫରୁ ଏହି ଗୋଲଡ ଇ-ପ୍ରଶାସନ ସ୍କଚ୍ ପୁରସ୍କାର ମିଳିଛି। ଏହି ଅଭିନବ ପ୍ରକଳ୍ପ ଦେଶରେ ପ୍ରଥମ ଥର ପାଇଁ ଓଡିଶା ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଓଡିଶାର ପ୍ରକୃତ କୃଷକମାନଙ୍କଠାରୁ ଧାନ କ୍ରୟ, ଯେଉଁମାନେ ଖାଦ୍ୟ ଯୋଗାଣ ଏବଂ ଉପଭୋକ୍ତା କଲ୍ୟାଣ ପ୍ରଣାଳୀର ପି-ପାସ (ପ୍ୟାଡି ପ୍ରୋକ୍ୟୂମେଂଟ ଅଟୋମେସନ୍ ସିଷ୍ଟମ୍) ମାଧ୍ୟମରେ ପଞ୍ଜୀକୃତ ହୋଇଛନ୍ତି। ଏଥିଯୋଗୁଁ ଓଡ଼ିଶା ସରକାର ୧୫୦୦ କୋଟିରୁ ଅଧିକ ଟଙ୍କା ସଂଚୟ କରିଛନ୍ତି। ଏହି ସଫଳତା ପାଇଁ ସମସ୍ତ ହିତାଧିକାରୀଙ୍କୁ ଓରସାକ୍ ସିଇଓ ପ୍ରଫୁଲ୍ଲ କୁମାର ମଲ୍ଲିକ ଧନ୍ୟବାଦ ଦେଇଛନ୍ତି।