ଫେବୃଆରୀ ୪ ତାରିଖ ଯାଏଁ ବାତିଲ୍‌ ହୋଇଛି ମହାକୁମ୍ଭକୁ ଓଡିଶାରୁ ଯାଉଥିବା ଓଏସଆରଟିସିର ସ୍ୱତନ୍ତ୍ର ବସ୍‌

ମହାକୁମ୍ଭକୁ ଓଡିଶାରୁ ଯାଉଥିବା ଓଏସଆରଟିସିର ସ୍ୱତନ୍ତ୍ର ବସ୍‌ ବାତିଲ୍‌ ହୋଇଛି। ଫେବୃଆରୀ ୪ ତାରିଖ ଯାଏଁ ଓଏସଆରଟିସିର ସ୍ୱତନ୍ତ୍ର ବସ୍‌ ବାତିଲ୍‌ କରାଯାଇଛି। ଅପ୍ରୀତିକର ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଏସଆରଟିସି ପକ୍ଷରୁ ଗୁରୁବାର ଏହି ନିଷ୍ପତ୍ତି ନିଆଯାଇଛି। ଟଙ୍କା ଫେରସ୍ତ ପାଇଁ ୯୯୩୭୫୪୭୭୭୩କୁ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି। ଯେଉଁମାନେ ଆଗୁଆ ଟିକେଟ୍‌ କରିଥିଲେ, ସେମାନେ ଯୋଗାଯୋଗ କରି ପାରିବେ।ମୌନୀ ଅମାବାସ୍ୟା ଅବସରରେ ବ୍ରହ୍ମ ମୁହୂର୍ତ୍ତରେ ଅମୃତ ସ୍ନାନ କରିବାର ମାତ୍ରାଧିକ ବ୍ୟଗ୍ରତା ହିଁ ଅଘଟଣ କାରଣ । ମହାକୁମ୍ଭ ଦଳାଚକଟାରେ ମୃତ୍ୟୁସଂଖ୍ୟା 30ରେ ପହଞ୍ଚିଛି । ପ୍ରାୟ 60ରୁ ଅଧିକ ଶ୍ରଦ୍ଧାଳୁ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଘଟଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ 25 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ସହ ଆହତଙ୍କ ମାଗଣା ଚିକିତ୍ସା କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଉତ୍ତର ପ୍ରଦେଶ ସରକାର ଘୋଷଣା କରିଛନ୍ତି । ଆଧ୍ୟାତ୍ମିକତାର ମହାକୁମ୍ଭରେ ଏହି ଅଭାବନୀୟ ଘଟଣା ପାଇଁ ସାରା ଦେଶରେ ଶୋକ ପ୍ରକାଶ ପାଇଛି ।

ମହାକୁମ୍ଭ ଡିଆଇଜି ବୈଭବ କ୍ରିଷ୍ଣା ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି,”ରାତି 1ଟା ରୁ 2ଟା ମଧ୍ୟରେ ଏହି ଅଘଟଣ ଘଟିଛି । ବ୍ରହ୍ମ ମୁହୂର୍ତ୍ତ ଆରମ୍ଭ ହେବା ପୂର୍ବରୁ ସଙ୍ଗମର ଆଖଡା ସ୍ଥଳରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ସମସ୍ତେ ବ୍ରହ୍ମ ମୁହୂର୍ତ୍ତରେ ସ୍ନାନ କରିବା ପାଇଁ ଇଚ୍ଛୁକ ଥିବାରୁ ସ୍ଥିତି ଅଣାୟତ୍ତ ହୋଇଯାଇଥିଲା । ସେତିକିବେଳେ ଗୋଟିଏ ପାର୍ଶ୍ବର ବାରିକେଡ ଭାଙ୍ଗି ଯାଇଥିଲା । ଫଳରେ ନଦୀକୂଳରେ ସ୍ନାନ ପାଇଁ ଅପେକ୍ଷା କରିଥିବା ଶ୍ରଦ୍ଧାଳୁଙ୍କ ଉପରେ ଅନିୟନ୍ତ୍ରିତ ଭିଡ ମାଡିଯାଇଥିଲା । ଦଳାଚକଟା ଆରମ୍ଭ ହେବା ମାତ୍ରେ ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଧାଇଁଥିଲେ, ଫଳରେ ସ୍ଥିତି ଆହୁରି ନିୟନ୍ତ୍ରଣ ବାହାରକୁ ଚାଲିଗଲା ।”

Related Articles

Back to top button