୪୯ ରନରେ ଜିତିଲା ଦକ୍ଷିଣ ଆଫ୍ରିକା, ୨-୧ରେ ସିରିଜ୍ ଜିତିଲା ଭାରତ

ଇନ୍ଦୋର: ଛୋଟ ବାଉଣ୍ଡରୀ ଏବଂ ବ୍ୟାଟିଂ ଉପଯୋଗୀ ପିଚ୍‌ରେ ବ୍ୟାଟସମ୍ୟାନଙ୍କ ବିଫଳତା କାରଣରୁ ତୃତୀୟ ଟି-୨୦ ମ୍ୟାଚ୍‌ରେ ପରାଜିତ ହୋଇଛି ଭାରତ। ଦକ୍ଷିଣ ଆଫ୍ରିକା ଶେଷ ମୁକାବିଲାକୁ ୪୯ ରନରେ ଜିତି ସାନ୍ତ୍ଵନାମୂଳକ ବିଜୟ ହାସଲ କରିଛି। ପରାଜୟ ସତ୍ତ୍ଵେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌କୁ ୨-୧ରେ ଜିତି ନେଇଛି। ପ୍ରଥମେ ବ୍ୟାଟିଂ କରି  ରିଲେ ରୁସୋଙ୍କ ୧୦୦ ରନର ଧୂଆଁଧାର ଅପରାଜିତ ଇନିଂସ ଏବଂ ଡି କକ୍ ୬୮ ରନର ଉପଯୋଗୀ ଇନିଂସ ବଳରେ ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୭ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଭାରତ ବ୍ୟାଟସମ୍ୟାନଙ୍କ ନିରାଶଜନକ ପ୍ରଦର୍ଶନ କାରଣରୁ ୧୮.୩ ଓଭରରେ ୧୭୮ ରନରେ ଅଲଆଉଟ୍ ହୋଇଛି। ଦଳ ପକ୍ଷରୁ ଦିନେଶ କାର୍ତ୍ତିକ ୪୬ ଏବଂ ଦୀପକ ଚହର ୩୧ ରନ କରିଛନ୍ତି। ଦକ୍ଷିଣ ଆଫ୍ରିକା ତରଫରୁ ଡ୍ଵେନ ପ୍ରିଟୋରିୟସ ୨୬ ରନ ଦେଇ ସର୍ବାଧିକ ୩ ସଫଳତା ପାଇଛନ୍ତି।

୨୨୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଭାରତ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇବାରୁ ପରାଜୟ ଭୋଗିଛି। ଅଧିନାୟକ ରୋହିତ ଶର୍ମା ଖାତା ଖୋଲି ପାରିନଥିଲେ। ଓପନର ଭାବେ ବ୍ୟାଟିଂ କରିଥିବା ଋଷଭ ପନ୍ତ ୨୭ ରନ କରିଥିଲେ ହେଁ ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଦିନେଶ କାର୍ତ୍ତିକ ବିସ୍ପୋରକ ବ୍ୟାଟିଂ କରିଥିଲେ ହେଁ ବଡ ଇନିଂସ ଖେଳିବାରେ ବିଫଳ ହୋଇଥିଲେ। ସେ ମାତ୍ର ୨୧ ବଲ୍‌ରୁ ୪ ଚୌକା ଏବଂ ୪ ଛକା ସହ ୪୬ ରନ କରିଥିଲେ। ଦଳର ତାରକା ବ୍ୟାଟସମ୍ୟାନ ସୂର୍ଯ୍ୟକୁମାର ଯାଦବ(୮) ଶୀଘ୍ର ଆଉଟ୍ ହେବା ଭାରତର ବିଜୟକୁ ଶକ୍ତ ଧକ୍କା ଲାଗିଥିଲା। ଅକ୍ଷର ପଟେଲ୍ ମାତ୍ର ୯ ରନ କରି ପାଭିଲିୟନ ଫେରିଥିଲେ।  ହର୍ଷଲ ପଟେଲ୍ ୧୭ ରନ କରିଥିବା ବେଳେ ଶେଷ ଆଡକୁ ଦୀପକ ଚହର ୩୧ ରନ ଏବଂ ଉମେଶ ଯାଦବ ୨୦ ରନର ଅପରାଜିତ ଇନିଂସ ଖେଳିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ ଆୟର(୧) ନିରାଶ କରିଥିଲେ। ଶେଷରେ ଭାରତ ୧୮.୩ ଓଭରରେ ୧୭୮ ରନରେ ଅଲଆଉଟ୍ ହୋଇଥିଲା।

ଦକ୍ଷିଣ ଆଫ୍ରିକା ପକ୍ଷରୁ ଡ୍ଵେନ ପ୍ରିଟୋରିୟସ ୨୬ ରନ ଦେଇ ୩ଟି ସଫଳତା ପାଇଛନ୍ତି। ଓ୍ଵେନ ପାର୍ଣ୍ଣେଲ, ଲୁଙ୍ଗି ଏନଗିଡି ଏବଂ କେଶବ ମହାରାଜ ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇ ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ।

ଦକ୍ଷିଣ ଆଫ୍ରିକା ଇନିଂସ

ଟସ୍  ହାରି ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୩୦ ରନ ସ୍କୋରରେ ଅଧିନାୟକ ତେମ୍ବା ବାଭୁମା(୩)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଡି କକ୍ ଏବଂ ରିଲେ ରୁସୋ ଦମଦାର ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ଚାପରେ ରଖିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୯୦ ରନ ଯୋଡି ବିଶାଳ ସ୍କୋରର ମୂଳଦୁଆ ପକାଇଥିଲେ। ଡକକ୍ ନିଜର ଫର୍ମ ବଜାୟ ରଖି ସିରିଜ୍‌ରେ କ୍ରମାଗତ ଦ୍ଵିତୀୟ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ୪୩ ବଲ୍‌ରୁ  ୬ ଚୌକା ଏବଂ ୪ ଛକା ସହ ୬୮ ରନର ଉପଯୋଗୀ ଇନିଂସ ଖେଳିଥିଲେ। ତାଙ୍କ ଆଉଟ୍ ପରେ ରୁସୋ ଇନିଂସ ସମ୍ଭାଳିଥିଲେ।

ପ୍ରଥମ ଦୁଇଟି ମ୍ୟାଚ୍‌ରେ ନିରାଶ କରିଥିବା ରୁସୋ ଟି-୨୦ କ୍ୟାରିୟରରେ ସ୍ମରଣୀୟ ଇନିଂସ ଖେଳିଛନ୍ତି। ସେ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୪୮ ବଲ୍‌ରୁ ଶତକୀୟ ଇନିଂସ ଖେଳିଛନ୍ତି। ଏଥିରେ  ୭ ଚୌକା ଏବଂ ୮ ଛକା ସାମିଲ୍। ଟ୍ରିଷ୍ଟନ ଷ୍ଟବ୍ସ ୨୩ ରନ କରିଥିଲେ। ମିଲର ୫ ବଲ୍‌ରୁ ୩ ଛକା ସହ ୧୯ ରନରେ ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ଵିକେଟ୍ ହରାଇ ୨୨୩ ରନ କରିଥିଲା।

ଭାରତ ପକ୍ଷରୁ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଛନ୍ତି। ଦୀପକ ଚହର ୪ ଓଭରରେ ୪୮ ରନ ଏବଂ ଉମେଶ ଯାଦବ ୩ ଓଭରରେ ୩୪ ରନ ଦେଇ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ହର୍ଷଲ ପଟେଲ୍ ୪ ଓଭରରେ ୪୯ ରନ, ଅଶ୍ଵିନ ୪ ଓଭରରେ ୩୫, ସିରାଜ ୪ ଓଭରରେ ୪୪ ଏବଂ ଅକ୍ଷର ଗୋଟିଏ ଓଭରରେ ୧୧ ରନ ବ୍ୟୟ କରିଛନ୍ତି।

Related Articles

Back to top button