ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ବିଜେ ସମ୍ପନ୍ନ

ଲକ୍ଷାଧିକ ଭକ୍ତଙ୍କ ସମାଗମ

ପୁରୀ: ଆଜି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା। ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଛି ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି। ଏବେ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଚାଲିଛି। ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଥିଲା ପ୍ରଭୁ ଶ୍ରୀ ବଳଦେବଙ୍କ ପହଣ୍ଡିବିଜେ ନୀତି। ଧାଡ଼ି ପହଣ୍ଡି ନୀତିରେ ସେବାୟତମାନେ ପ୍ରଭୁ ଶ୍ରୀ ବଳଦେବଙ୍କୁ ରତ୍ନବେଦୀରୁ ରଥକୁ ଘେନି ଆଣିଥିଲେ। ପ୍ରଭୁ ବଳଭଦ୍ର ଇତି ମଧ୍ୟରେ ରଥାରୁଢ଼ ହୋଇସାରିଛନ୍ତି। ଏହା ପୂର୍ବରୁ ଶ୍ରୀସୁଦର୍ଶନ ରଥ ଉପରେ ବିରାଜମାନ କରିସାରିଛନ୍ତି।

ଦିବ୍ୟ ଟାହିଆ ସୁଶୋଭିତ ହୋଇ ବଡ଼ଠାକୁର ଶ୍ରୀନଅରରୁ ଝୁଲିଝୁଲି ରଥରେ ବିରାଜମାନ ହେବାପାଇଁ ଆସିବାର ଦୃଶ୍ୟରେ ବିମୋହିତ କରିଥିଲା। ବଳଭଦ୍ରଙ୍କ ପରେ ଶ୍ରୀନଅରରୁ ପହଣ୍ଡିରେ ବାହାରିଥିଲେ ମା ସୁଭଦ୍ରା। ବଡ଼ଭାଇ ବଳଦେବଙ୍କ ପରେ ପରେ ଭଉଣୀ ସୁଭଦ୍ରା ଦେବଦଳନ ରଥରେ ରଥାରୁଢ଼ ପାଇଁ  ପହଣ୍ଡିରେ ବାହାରିଥିଲେ । ଶେଷରେ ଭକ୍ତଙ୍କୁ ନ ପାଇ ମନକୁ ମାରି ରତ୍ନବେଦୀରୁ ଓହ୍ଲାଇ ଆସିଛନ୍ତି ଶ୍ରୀ ଶ୍ରୀ ଜଗନ୍ନାଥ, ତଥାପି ଅପରୂପା ଶୋଭାର ସମ୍ଭାର, ଦୀନଜନ ଶରଣ ରକ୍ଷଣ ମହାପ୍ରଭୁ ପହଣ୍ଡିରେ ଝୁଲିଝୁଲି ରଥଆଡକୁ ଅଗ୍ରସର ହେଉଛନ୍ତି।

ପହଣ୍ଡି ଦୁଇ ଭାଗରେ ବିଭକ୍ତ ଯଥା:- ଧାଡି ପହଣ୍ଡି ଓ ଗୋଟି ପହଣ୍ଡି। ସ୍ନାନଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ସ୍ନାନ ମଣ୍ଡପକୁ ନେବା ସମୟରେ ଯେଉଁ ପହଣ୍ଡି ହୁଏ ତାହାକୁ ଧାଡି ପହଣ୍ଡି କୁହାଯାଏ। ରଥଯାତ୍ରା ସମୟରେ ତିନିଠାକୁରଙ୍କୁ ଶ୍ରୀମନ୍ଦିର ରତ୍ନବେଦୀରୁ ରଥ ଉପରକୁ ଓ ରଥରୁ ମନ୍ଦିରକୁ ନେବା ସମୟରେ ଯେଉଁ ପହଣ୍ଡି କରାଯାଏ ତାହାକୁ ଗୋଟି ପହଣ୍ଡି କୁହାଯାଇଥାଏ। ଏହି ଦୁଇ ପ୍ରକାରର ପହଣ୍ଡି କେବଳ ବିଗ୍ରହ ମାନଙ୍କୁ ପହଣ୍ଡି ସମୟରେ ଘୁଞ୍ଚାଇବାର ତରିକା ବ ଢଙ୍ଗକୁ ବୁଝାଇଥାଏ । ଶ୍ରୀ ଜଗନ୍ନାଥ ଓ ବଳଭଦ୍ରଙ୍କ ବାହୁ ଥିବା ଯୋଗୁଁ ଦୁଇ ବିଗ୍ରହଙ୍କୁ ସମୟ ସମୟରେ ଭୂମିକୁ ଛୁଆଁଇ କରି ପହଣ୍ଡି କରାଯାଇଥାଏ। କିନ୍ତୁ ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ବାହୁ ନଥିବା ଯୋଗୁଁ ସେମାନଙ୍କୁ ଶାୟିତ ରୂପେ ବୁହାଇ ପହଣ୍ଡି କରାଯାଇଥାଏ ।

Related Articles

Back to top button