ସୁରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ

ବୁଧବାର ପିସିସି ସଭାପତି ଶରତ ପଟ୍ଟନାୟକ ସୁରଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛନ୍ତି। ନୋଟିସ୍‌ରେ ସୁର ରାଉତରାୟ କାହିଁକି ପୁଅ ମନ୍ମଥ ରାଉତରାୟ ପାଇଁ ଭୋଟ ମାଗୁଛନ୍ତି ବୋଲି ପ୍ରଶ୍ନ କରାଯାଇଛି। ଏନେଇ ପିସିସି ସଭାପତି ସୁରଙ୍କୁ ଜବାବ ମାଗିଛନ୍ତି।

କିଛିଦିନ ପୂର୍ବରୁ ସୁରଙ୍କ ସାନପୁଅ ମନ୍ମଥ ବିଜେଡି ଯୋଗ ଦେଇଛନ୍ତି। ଏହାପରେ ସୁର ପିସିସି ସଭାପତିଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଯେଉଁଥିରେ ସେ କହିଥିଲେ, କି ‘ପୁଅ ମନ୍ମଥ ବିଜେଡିରେ ଯୋଗ ଦେଇଥିବାରୁ ମୋ ଆତ୍ମାକୁ ବାଧିଛି। ତେଣୁ ମୁଁ ଦଳର ସମସ୍ତ ପଦରୁ ଇସ୍ତଫା ପ୍ରଦାନ କରୁଛି। କିନ୍ତୁ କଂଗ୍ରେସରେ ରହିବା ସହ ମୋର ସମସ୍ତ ଭୋଟ କଂଗ୍ରେସକୁ ହିଁ ଦେବି । କିନ୍ତୁ ମଙ୍ଗଳବାର ସୁର ନିଜ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ଭୋଟ ମାଗିବା ସହ ବିଜେଡି ପାଇଁ ପ୍ରଚାର କରିବା ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସୂଚନା ମୁତାବକ ସୁର ଉତ୍ତର ଭୁବନେଶ୍ୱରରେ ଏକ କ୍ରିକେଟ ମ୍ୟାଚ କାର୍ଯ୍ୟକ୍ରମରେ ସେ ଯୋଗଦେଇଥିଲେ। ସେଠାରେ ସ୍ଥାନୀୟ ବିଜେଡି ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ। ସୁର ଭାଷଣ ଛଳରେ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହ ସେ ହିଁ ବେଷ୍ଟ ବୋଲି କହିଥିଲେ। ଉତ୍ତର ଭୁବନେଶ୍ୱରରେ ଗତ ୫ ବର୍ଷ ଧରି ସୁଶାନ୍ତ କାମ କରିଛନ୍ତି। ସେ ହିଁ ବେଷ୍ଟ, ଏକଥା ସେ ପାଣ୍ଡିଆନକୁ ବି କହିଛନ୍ତି।

‘ଏଥର ସୁଶାନ୍ତ ହିଁ ଜିତିବେ ବୋଲି କହିଥିଲେ। କେବଳ ଏତିକି ନୁହେଁ, ନିଜ ପୁଅ ମନ୍ମଥଙ୍କୁ ବିଜେଡିରୁ ଅଫର୍‌ ଦିଆଯାଇଛି। ଜଗନ୍ନାଥ ବଡ଼ ସୁଯୋଗ ଦେଇଛନ୍ତି, ମାଡ଼ି ଚାଲ ବୋଲି ମନ୍ମଥଙ୍କୁ କହିଥିଲେ। ତାଙ୍କ ପୁଅ ଓ ସୁଶାନ୍ତ ରାଉତଙ୍କୁ ସେ ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେବାକୁ କହିଥିବା ଭିଡିଓ ଏବେ ଭାଇରାଲ ହେଉଛି। ସୁରଙ୍କ ଏଭଳି ଭିଡିଓକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକ ମନ୍ତବ୍ୟ ଦେଇଛନ୍ତି, ସେ ଯିଏ ହୁଅନ୍ତୁନା କାହିଁକି ଦଳର ଶୃଙ୍ଖଳା ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ ହେବ। ଅନ୍ୟପଟେ ବିଜେଡି ପାଇଁ ସେ ଭୋଟ ମାଗି ନାହାଁନ୍ତି ବଂର ସେ ଖେଳପ୍ରତିଯୋଗିତାକୁ ଯାଇଥିଲେ ବୋଲି କହିଛନ୍ତି। ଏହି ଭାଇରାଲ୍ ଭିଡିଓକୁ ସୁର ରାଉତରାୟ ଅସ୍ବୀକାର କରିଛନ୍ତି।

Related Articles

Back to top button