ବାଘ ମାରି ମାଂସ ଖାଇବା ପ୍ରସଙ୍ଗରେ ବଡ ପ୍ରତିକ୍ରିୟା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ

ନୂଆପଡାରେ କଲରା ପତରିଆ ବାଘ ମାରି ମାଂସ ଖାଇବା ପ୍ରସଙ୍ଗରେ ବଡ ପ୍ରତିକ୍ରିୟା ଦେଇଛନ୍ତି ପିସିସିଏଫ ସୁଶାନ୍ତ ନନ୍ଦ । ପ୍ରଥମ ଥର ଲୋକେ ବାଘ ମାରି ମାଂସ ଖାଉଥିବା ଦେଖିବାକୁ ମିଳିଛି । ସଭ୍ୟ ସମାଜରେ ଏମାନେ ରହିବାକୁ ଯୋଗ୍ୟ ନୁହନ୍ତି । ସେମାନଙ୍କୁ ସାମାଜିକ ବାସନ୍ଦ କରାଯାଉ । ଲୋକେ ଏଥିପାଇଁ ସଚେତନ ହେବା ଜରୁରୀ ବୋଲି ପିସିସିଏଫ କହିଛନ୍ତି ।  ଗତକାଲି ବିଦ୍ୟୁତ ଫାଶରେ ଲାଗି ନୂଆପଡା ଜିଲ୍ଲାରେ ଏକ କଲରା ପତରିଆ ବାଘର ମୃତ୍ୟୁ ଘଟିଥିଲା । ଏହା ପରେ ଶିକାରୀମାନେ ଏହାର ମାଂସକୁ ଭୋଜି କରି ଖାଇବା ଘଟଣା ଗତକାଲି ଚର୍ଚ୍ଚାକୁ ଆସିଥିଲା । ଏହି ଘଟଣାରେ ବନ ବିଭାଗ ଦୁଇ ଜଣ ଶିକାରୀଙ୍କୁ ଗିରଫ କରି ପଚରାଉଚୁରରା କରୁଥିବା ବେଳେ ଦୁଇ ଜଣ ଫେରାର ଅଛନ୍ତି ।

ସୁନାବେଡା ଅଭୟାରଣ୍ୟର ତଳି ଅଞ୍ଚଳ କୋମନା ରେଞ୍ଜ ଦେଓଦରା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିିମା ଦିନ ଶିକାରୀମାନେ ଦେଓଧରା ପାଟିଡଙ୍ଗର ଜଙ୍ଗଲରେ ବାରହା ଶିକାର ପାଇଁ ବିଦ୍ୟୁତ ତାର ବିଛାଇଥିଲେ । ହେଲେ ବିଦ୍ୟୁତ ତାରରେ ଲାଗି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା । ସକାଳେ ୪ ଜଣ ଶିକାରୀ ମୃତବାଘକୁ ଜଙ୍ଗଲର ଏକ ନାଳ ପାଖରେ ଖଣ୍ଡଖଣ୍ଡ କରି କାଟିଥିଲେ । ଅଧା ମାଂସକୁ ଭୋଜି କରି ଖାଇଥିଲେ । ଅବଶିଷ୍ଟ ମାଂସ ସହ ମୁଣ୍ଡ, ଗୋଡ ଓ ଛାଲ ରଖିଥିଲେ । କୌଣସି ସୂତରୁ ଖବର ପାଇ ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନଙ୍କ ନେତୃତ୍ୱରେ ବନ ବିଭାଗର ସ୍ୱତନ୍ତ୍ର ଟିମ୍ ସୋମବାର ରାତିରେ ଦେଓଧରା ଗାଁରେ ଚଢଉ କରି ଗାଁର ପୁସ୍ତମ ଚିନ୍ଦା(୫୮) ଓ ହୃଷିକେଶ ଚିନ୍ଦା(୪୦)ଙ୍କ ଘରୁ ବାଘ ମୁଣ୍ଡ, ଛାଲ ଓ ମାଂସ ଜବତ କରିଥିଲା । ଏହି ଘଟଣାରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରି ପଚରାଉଚୁରରା କରୁଥିବା ବେଳେ ଦୁଇ ଜଣ ଫେରାର ଅଛନ୍ତି । ଏହି ଘଟଣା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Articles

Back to top button