ଆସନ୍ତା ଶିକ୍ଷାବର୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ପ୍ରଦର୍ଶନ କଳା ପାଠ୍ୟକ୍ରମ ପ୍ରଚଳନ କରାଯିବ

ଭୁବନେଶ୍ୱର: ପ୍ରାଚୀନ କାଳରୁ ପ୍ରଥମେ ସଂସ୍କୃତରେ ହିଁ ସଙ୍ଗୀତ ରଚନା, ଗାନ ଓ ପରିବେଷଣ କରାଯାଉଥିଲା। ଚାପଯୁକ୍ତ ଜୀବନକୁ ମୁକ୍ତ କରିଥାଏ ସଙ୍ଗୀତ। ସଙ୍ଗୀତ ଜୀବନରେ ଆନନ୍ଦ ଭରିଦେଇଥାଏ। ବୌଦ୍ଧିକ ଜ୍ଞାନ ହାସଲ କରି ଛାତ୍ରଛାତ୍ରୀମାନେ କିଭଳି ଚାପମୁକ୍ତ ଜୀବନ ଅତିବାହିତ କରିପାରିବେ ଏବଂ ସଫଳତାର ଅନ୍ତିମ ସୋପାନରେ ପହଞ୍ଚି ପାରିବେ ସେଥିପାଇଁ ଉତ୍କଳ ବିଶ୍ବବିଦ୍ୟାଳୟରେ ‘ପର୍‌ଫର୍ମିଂ ଆର୍ଟ’ ବା ପ୍ରଦର୍ଶନ କଳା ପାଠ୍ୟକ୍ରମ ପ୍ରଚଳନ କରାଯିବା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି।

ଆସନ୍ତା ଶିକ୍ଷା ବର୍ଷରୁ ଉତ୍କଳ ବିଶ୍ବବିଦ୍ୟାଳୟରେ ‘ପର୍‌ଫର୍ମିଂ ଆର୍ଟ’ ପାଠ୍ୟକ୍ରମ ଖୋଲାଯିବା ପାଇଁ ପଦକ୍ଷେପ ନିଆଯାଇଛି। ‘ପର୍‌ଫର୍ମିଂ ଆର୍ଟ’ ପାଠ୍ୟକ୍ରମ ଅଧ୍ୟୟନ ସହ ଛାତ୍ରଛାତ୍ରୀ ଏଥିରେ ନିଜର ଦକ୍ଷତା ଓ ପ୍ରତିଭା ପ୍ରଦର୍ଶନ କରି ସଫଳତା ପାଇପାରିବେ ବୋଲି କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ପ୍ରକାଶ କରିଛନ୍ତି।

ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ଏବଂ ପ୍ରାଚୀନ କଳାକେନ୍ଦ୍ର ଓଡ଼ିଶା ପ୍ରଦେଶ ଶାଖା ସହଯୋଗରେ ବାଣୀବିହାର ଏମକେସିଜି ଅଡିଟୋରିୟମରେ ‘ଓଡ଼ିଶୀ ସଙ୍ଗୀତରେ ଶାସ୍ତ୍ରୀୟ ମୌଳିକତା’ ଶିର୍ଷକ ବିଷୟବସ୍ତୁ ଉପରେ ଜାତୀୟ ଆଲୋଚନା ଚକ୍ର, ଅଧ୍ୟାପନା ଓ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତର ଆଭିମୁଖ୍ୟ, ଏହାର କ୍ରମବିକାଶ ଏବଂ ପ୍ରଚାର ପ୍ରସାର ଉପରେ ବକ୍ତବ୍ୟ ରଖିଥିଲେ।ଏହାସହିତ କଳା ଓ ସଂସ୍କୃତି କିପରି ଲୋକଙ୍କ ମନରେ ଆବେଗ ଭରିଦିଏ ସେ ଉପରେ ଆଲୋକପାତ କରିଥିଲେ। କୁଳପତି ପ୍ରଫେସର ଆଚାର୍ଯ୍ୟ ଆଲୋଚନାର ଆଭିମୂଖ୍ୟ, କଳା ସଙ୍ଗୀତ ଓ ନୃତ୍ୟକୁ ଦେଶ ବିଦେଶରେ ବିସ୍ତାର କରୁଥିବା ପ୍ରାଚୀନ କଳାକେନ୍ଦ୍ରକୁ କୃତଜ୍ଞତା ଜ୍ଞାପନ କରିଥିଲେ।

ପ୍ରାଚୀନ କଳାକେନ୍ଦ୍ରର ଓଡ଼ିଶା ପ୍ରଦେଶ ଅଧିକ୍ଷକ ବ୍ୟୋମକେଶ ଜେନାଙ୍କ ଦ୍ୱାରା ରଚିତ ସଙ୍ଗୀତ ‘ସାତରଙ୍ଗେ ସାଜେ ଇନ୍ଦ୍ରଧନୁ’ ସ୍ୱାଗତ ସଙ୍ଗୀତ ଭାବେ ପରିବେଷଣ କରାଯାଇଥିଲା। କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ବରିଷ୍ଠ ଓଡ଼ିଶୀ ସଙ୍ଗୀତ ଗୁରୁ ପଣ୍ଡିତ ଗୋପାଳଚନ୍ଦ୍ର ପଣ୍ଡା, ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବ ଡ. ଅଭୟ କୁମାର ନାୟକ, ଓଡ଼ିଶା ସାହିତ୍ୟ ଏକାଡେମୀ ସଭ୍ୟ ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ପ୍ରମୁଖ ମନ୍ଦିରର କଳାକୃତି କିପରି ଶାସ୍ତ୍ରୀୟ ସଙ୍ଗୀତର ଭାବ ଜଣାଇଥାଏ ସେ ବିଷୟରେ ମତ ରଖିଥିଲେ।

ପ୍ରସିଦ୍ଧ ସଙ୍ଗୀତ ବିଷାରଦ ଡ. କୀର୍ତ୍ତନ ନାରାୟଣ ପାଢ଼ି ଶାସ୍ତ୍ରୀୟ ସଙ୍ଗୀତ ଓ ସଂସ୍କୃତ ଭାଷାର ସମ୍ପର୍କ ଉପରେ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରିଥିଲେ। କେନ୍ଦ୍ର ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ଗୁରୁମା ଡ. ଶୋଭା କୋଶର ଓଡ଼ିଶୀ ସଙ୍ଗୀତର ଉତ୍ପତ୍ତି, ଏହାର କ୍ରମବିକାଶ ଏବଂ ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍କଳ ବିଶ୍ୱବିଦ୍ୟାଳୟର ସଂସ୍କୃତ ବିଭାଗ ମୁଖ୍ୟ ପ୍ରଫେସର ସୁବାଷ ଚନ୍ଦ୍ର ଦାଶ ପ୍ରାଚୀନ ଯୁଗରୁ ସଂସ୍କୃତ ଭାଷା ଓ ଶାସ୍ତ୍ରୀୟ ସଙ୍ଗୀତର କିଭଳି ନିବିଡ ସମ୍ପର୍କ ରହିଛି ବିଭିନ୍ନ ଉଦାହରଣ ମାଧ୍ୟମରେ ତାହା ବର୍ଣ୍ଣନା କରିଥିଲେ।

କଣ୍ଠଶିଳ୍ପୀ ସଙ୍ଗୀତା ପଣ୍ଡା ଓ ସଙ୍ଗୀତା ଗୋସାଇଁ କଣ୍ଠସଙ୍ଗୀତ ପରିବେଷଣ କରିଥିଲେ। ନିରଞ୍ଜନ ସାହୁ ଓ ଶଚ୍ଚିଦାନନ୍ଦ ଦାସ ମର୍ଦଳ ବାଦନ, ମୀରା ଦାସ ଓ ଗୋବିନ୍ଦ ଚନ୍ଦ୍ର ପାଲ୍ ନୃତ୍ୟ ଏବଂ ବିନୋଦ ବିହାରୀ ରାଉତଙ୍କ ତବଲା ବାଦନ ଦର୍ଶକଙ୍କ ମନୋରଞ୍ଜନ ଯୋଗାଇବାରେ ସହାୟକ ହୋଇଥିଲା।

ଡ. ଅନସୂୟା ଦାସ୍, ସନ୍ଧ୍ୟାରାଣୀ ପାଣୀଗ୍ରାହି ଓ ପ୍ରଫେସର ମିତାଲୀ ଚିନାରା କଣ୍ଠସଙ୍ଗୀତ ପରିବେଷଣ କରିଥିଲେ। ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେପ୍ରାଚୀନ କଳାକେନ୍ଦ୍ରର ସମ୍ପାଦକ ସଜଲ କୋଶର ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Back to top button