ପ୍ରେସ୍‌କ୍ରିପ୍‌ସନ୍‌ ନଥିଲେ ମିଳିବ ନାହିଁ କୀଟନାଶକ

ଚାଷରେ ମନଇଚ୍ଛା କୀଟନାଶକ ବ୍ୟବହାରରେ ଲାଗିବ କଟକଣା। କୃଷି ଏବଂ ଉଦ୍ୟାନ କୃଷିରେ ଅନ୍ୟୂନ ସ୍ନାତକ ଯୋଗ୍ୟତାପ୍ରାପ୍ତ କୃଷି ଅଧିକାରୀଙ୍କ ପ୍ରେସ୍‌କ୍ରିପ୍‌ସନ୍‌ ବିନା କୀଟନାଶକର କ୍ରୟ-ବିକ୍ରୟ ହୋଇ ପାରିବ ନାହିଁ। ଯେଉଁ କୀଟନାଶକ ଦୋକାନ କିମ୍ବା ଡିଲରମାନେ ଏହାର ଉଲ୍ଲଂଘନ କରିବେ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ। ଏଥିପାଇଁ ଆବଶ୍ୟକ ନିର୍ଦେଶ ସମସ୍ତ ଜିଲ୍ଲାର କୃଷି ଉପନିର୍ଦେଶକ ଏବଂ କୃଷି ଅଧିକାରୀଙ୍କୁ ଦିଆଯାଇଛି। ଦେଶର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ପ୍ରସ୍ତୁତ କରିଛି ସ୍ବତନ୍ତ୍ର କୀଟନାଶକ ନୀତି। ରାଜ୍ୟ କୃଷି ଯୁଗ୍ମନିର୍ଦେଶକ ତଥା ଶସ୍ୟ ସୁରକ୍ଷା ନିର୍ଦେଶକ ପ୍ରଫୁଲ୍ଲ ସେଠୀ ସରକାରଙ୍କ ଏହି ନୂଆ ନୀତି ସଂପର୍କରେ ସୂଚନା ଦେଇଛନ୍ତି। କେନ୍ଦ୍ର ରସାୟନ ଏବଂ ସାର ମନ୍ତ୍ରଣାଳୟ ପକ୍ଷରୁ ଜାରି ସୂଚନା ଅନୁସାରେ, ଓଡ଼ିଶାରେ ହେକ୍ଟର ପିଛା ୦.୧୫ କେଜି ଏବଂ ଭାରତରେ ୦.୨୯ କେଜି କୀଟନାଶକର ବ୍ୟବହାର ହୁଏ। ଏଥିରେ ଦେଶରେ ଓଡ଼ିଶାର ସ୍ଥାନ ଦଶମ। ପଞ୍ଜାବରେ ୦.୭୪ କେଜି, ହରିୟାଣାରେ ୦.୬୨, ମହାରାଷ୍ଟ୍ରରେ ୦.୫୭, କେରଳରେ ୦.୪୧ କେଜି, ଉତ୍ତରପ୍ରଦେଶରେ ୦.୩୯ କେଜିର ବ୍ୟବହାର ହେଉଛି। ରାଜ୍ୟ କୃଷି ବିଭାଗର ସୂଚନା ଅନୁସାରେ, ଓଡ଼ିଶାରେ ବାର୍ଷିକ ୧୧୫୮ ମେଟ୍ରିକ ଟନ୍‌ରୁ ଉର୍ଧ୍ବର କୀଟନାଶକର ଖର୍ଚ୍ଚ ହୁଏ। ସର୍ବାଧିକ ବ୍ୟବହାରକାରୀ ଜିଲ୍ଲା ମଧ୍ୟରେ ବରଗଡ଼, ଗଞ୍ଜାମ, ସମ୍ବଲପୁର, ବଲାଙ୍ଗୀର, ବାଲେଶ୍ବର ଏବଂ କଟକ ରହିଛି। ଫସଲରେ ରସାୟନିକ କୀଟନାଶକ ଏବଂ ସାରର ମାତ୍ରାଧିକ ବ୍ୟବହାର ଦେଶ ବ୍ୟାପୀ ଚିନ୍ତାର କାରଣ ହୋଇଛି।

ରାଜ୍ୟରେ ଧାନ, କପା, ପରିବା, ଚିନାବାଦାମ ଏବଂ ଡାଲିଜାତୀୟରେ ମଧ୍ୟ ଏହାର ବ୍ୟବହାର ବଢିବାରେ ଲାଗିଛି। ଏଥିଯୋଗୁଁ ଉତ୍ପାଦନର ଗୁଣାତ୍ମକମାନ ପ୍ରଭାବିତ ହେବା ସହିତ ଉପଭୋକ୍ତାଙ୍କ ସ୍ବାସ୍ଥ୍ୟ ପ୍ରଭାବିତ ହେଉଛି। କିନ୍ତୁ ଏଥିଯୋଗୁଁ ଚାଷୀମାନେହିଁ ସର୍ବାଧିକ କ୍ଷତିଗ୍ରସ୍ତ ହେଉଛନ୍ତି। ଶସ୍ୟ ସୁରକ୍ଷାର ଯୁଗ୍ମ ନିର୍ଦେଶକ ରୂପକ ମହାଲିଙ୍ଗ କହିଛନ୍ତି, ରୋଗ ଏବଂ ପୋକ ପାଇଁ ତୃଣନାଶକ, ଫିମ୍ପିନାଶକ, ଜୈବକୀଟନାଶକର ସିଞ୍ଚନ ହୁଏ। ଅନେକ ସମୟରେ ଚାଷୀ ଜାଣିନପାରି ଭୁଲ କୀଟନାଶକ ବ୍ୟବହାର କରି ଖର୍ଚ୍ଚାନ୍ତ ହୁଅନ୍ତି ଓ ଫସଲ ମଧ୍ୟ ନଷ୍ଟ ହୁଏ। ସମ୍ବଲପୁର ଏବଂ ଗଞ୍ଜାମରେ ଏଭଳି କାରଣରୁ ଫସଲ ଜଳିଯାଇଥିବା ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି। ଗୋଟିଏ ପ୍ରକାର ସମସ୍ୟାରୁ ମୁକ୍ତି ପାଇଁ ବଡ଼ ସମସ୍ୟାର ହାବୁଡ଼ରେ ପଡ଼ନ୍ତି। କୀଟନାଶକ କମ୍ପାନିମାନେ ଚାଷୀମାନଙ୍କୁ ଆକୃଷ୍ଟ କରିବା ପାଇଁ ମାତ୍ରାଧିକ କୀଟନାଶକ କ୍ରୟ ପାଇଁ ପ୍ରଲୋଭିତ କରିଥାଆନ୍ତି। ଏଥିଯୋଗୁଁ ଅନେକ ଚାଷୀଙ୍କ ଘରେ କୀଟନାଶକ ଏବଂ ତୃଣନାଶକ ଉପଲବ୍ଧ ରହିଥାଏ।

ଆତ୍ମହତ୍ୟା କୀଟନାଶକ ଏବଂ ତୃଣନାଶକ ଯୋଗୁଁ ହୋଇଥାଏ। ଏଥିପାଇଁ ଭିମ୍‌ସାରର ଡାକ୍ତରମାନଙ୍କ ଦାବି ପରେ ତୃଣନାଶକ ପାରାକ୍ବେଟ୍‌ ଉପରେ ରାଜ୍ୟ ସରକାର ଅସ୍ଥାୟୀ କଟକଣା ଜାରି କରିଛନ୍ତି। ଏହି ସମୁଦାୟ ସମସ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର କୀଟନାଶକ ନୀତି ପ୍ରସ୍ତୁତ କରିଛନ୍ତି। ରୋଗୀ ଯେଉଁଭଳି ଡାକ୍ତରଙ୍କୁ ସ୍ବାସ୍ଥ୍ୟ ସମସ୍ୟା କହି ପ୍ରେସ୍‌କ୍ରିପ୍‌ସନ୍ ଦେଇ ଔଷଧ କ୍ରୟ କରେ। ଏଥିରେ ଚାଷୀ ଯୋଗ୍ୟତାପ୍ରାପ୍ତ କୃଷି ଅଧିକାରୀଙ୍କ ପାଖକୁ ଫସଲ ଡାକ୍ତର ଭାବରେ ତାଙ୍କ ପାଖକୁ ଯିବେ। ଫସଲ କେଉଁଭଳି ସମସ୍ୟାର ସମ୍ମୁଖୀନ ତାହା ଜଣାଇବେ। ଅଧିକାରୀ ଜଣକ କେଉଁ ରୋଗ ବା ପୋକ ନଷ୍ଟ କରିବ ତାହା ଲେଖିବେ। କୌଣସି କମ୍ପାନି ବା ବ୍ରାଣ୍ଡ୍‌ର ନାମ ଲେଖିପାରିବେ ନାହିଁ। କେବଳ ସେହି ସିଜନ ସମସ୍ୟାକୁ ଦେଖି ଲିଖିତ ପରାମର୍ଶ ଦେବେ। ଆସନ୍ତା ଖରିଫ ବା ରବି ପାଇଁ ପରାମର୍ଶ ଦେଇ ପାରିବେ ନାହିଁ।

 

ବର୍ତ୍ତମାନ ପରିପ୍ରେକ୍ଷୀରେ ସରକାରୀ କୃଷି ଅଧିକାରୀଙ୍କ ପାଖରୁହିଁ ପ୍ରେସ୍‌କ୍ରିପ୍‌ସନ୍‌ ପାଇବେ। ଭବିଷ୍ୟତରେ କୃଷି ବିଭାଗ ପକ୍ଷରୁ ପୋର୍ଟାଲ ପ୍ରସ୍ତୁତ କରାଯାଉଛି। ଏଥିରେ ପଞ୍ଜୀକୃତ କୃଷି ଅଧିକାରୀଙ୍କୁ ଚାଷୀମାନେ ଫସଲ ସମସ୍ୟା କହି ପ୍ରେସ୍‌କ୍ରିପ୍‌ସନ୍‌ ପାଇପାରିବେ; ଠିକ ଅନଲାଇନ ଚିକିତ୍ସା ଭଳି। ଏପରିକି ଲାଇସେନ୍ସପ୍ରାପ୍ତ କୃଷି ବିଜ୍ଞାନରେ ପାଠ ପଢିଥିବା ବିଦ୍ୟାର୍ଥୀମାନେ ବିଭିନ୍ନ କ୍ଲିନିକ୍‌ ଜରିଆରେ ଫସଲ ଦେଖି ପ୍ରେସ୍‌କ୍ରିପ୍‌ସନ୍‌ ଦେଇ ପାରିବେ ଏଥିପାଇଁ ମଧ୍ୟ ବିଚାର କରାଯାଉଛି। କୀଟନାଶକର ବ୍ୟବହାର କମ କରି ରୋଗ ଏବଂ ପୋକର ମୁକାବିଲା କିଭଳି କରାଯାଇ ପାରିବ ଏହି ଲକ୍ଷ୍ୟରେ ନୂତନ କୀଟନାଶକ ନୀତି ପ୍ରସ୍ତୁତ କରାଯାଇଥିବା କୃଷି ନିର୍ଦେଶକ କହିଛନ୍ତି। ବିନା ସୁରକ୍ଷାରେ କୀଟନାଶକ ସିଞ୍ଚନ ଯୋଗୁଁ ଏହାର ପ୍ରଭାବରେ ପଡ଼ି ଚାଷୀମାନେ ବିଭିନ୍ନ ପ୍ରକାର ମାରାତ୍ମକ ରୋଗରେ ପଡ଼ୁଛନ୍ତି। କୀଟନାଶକ ସିଞ୍ଚନ ବେଳେ ଚାଷୀ ଗୋଡ଼ରେ ପ୍ଲାଷ୍ଟିକ, ଚପଲ, ଚଷମା ବ୍ୟବହାର ସହିତ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶିକ୍ଷଣ ଦିଆଯାଉଛି। ଏହାର ଉଦେଶ୍ୟ ସଫଳ ହେଲେ ଉଭୟ ଉପଭୋକ୍ତା ଏବଂ ଚାଷୀ ଅନେକ ଲାଭାନ୍ବିତ ହୋଇପାରିବେ। ବିଷମୁକ୍ତ ଖାଦ୍ୟ ଦିଗରେ ଗୋଟିଏ ପାଦ ଆଗକୁ ବଢିପାରିବା ବୋଲି ଆଶା ରହିଛି

Related Articles

Back to top button