ଖୁବ୍‌ଶୀଘ୍ର ଭୁବନେଶ୍ୱରରେ ଲାଗୁ ହେବ ପେଟ୍‌ ଆନିମଲ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଖୁବ୍‌ଶୀଘ୍ର ପେଟ୍‌ ଆନିମଲ ଗାଇଡ୍‌ଲାଇନ ଆଣିବାକୁ ଯାଉଛି। ଏନେଇ ଡ୍ରାଫ୍ଟ ପ୍ରସ୍ତୁତ ସରିଥିବାବେଳେ ମାର୍ଚ୍ଚ ପ୍ରଥମ ସପ୍ତାହରେ ଏକ ସ୍ବତନ୍ତ୍ର ବୈଠକ ବସିବ। ଏଥିରେ ପ୍ରାଣୀପ୍ରେମୀ, ସମସ୍ତ କର୍ପୋରେଟର ଏବଂ ବିଏମ୍‌ସି ଅଧିକାରୀମାନେ ଯୋଗଦେଇ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଉପରେ ଆଲୋଚନା କରିବେ। ଆବଶ୍ୟକ ପଡିଲେ ସମ୍ପୃକ୍ତ ଡ୍ରାଫ୍ଟରେ ସଂଶୋଧନ କରାଯିବ। ସେହିପରି ଲୋକଙ୍କ ପରାମର୍ଶ ଏବଂ ଅନ୍ୟ ସମସ୍ତ ଦିଗକୁ ଭିତ୍ତିକରି ଖୁବ୍‌ଶୀଘ୍ର ଗାଇଡ୍‌ଲାଇନ ପ୍ରସ୍ତୁତ କରାଯିବ। ଅନୁମୋଦନ ପରେ ଗାଇଡ୍‌ଲାଇନ୍‌କୁ ସାର୍ବଜନୀନ କରାଯିବ ବୋଲି ସୂଚନା ଦିଆଯାଇଛି। ତେବେ ପ୍ରସ୍ତୁତ ହୋଇଥିବା ଡ୍ରାଫ୍ଟ ଅନୁଯାୟୀ, କୁକୁରଙ୍କ ରେଜିଷ୍ଟ୍ରେଶନ ଓ ଟିକାକରଣକୁ ବାଧ୍ୟତାମୂଳକ କରାଯାଇଛି। ମାଲିକମାନେ ଟିକାକରଣର ଡାକ୍ତରୀ ସାର୍ଟିଫିକେଟ ରଖିବେ। ରେଜିଷ୍ଟ୍ରେଶନ ପାଇଁ ୫ଶହ ଏବଂ ରିନ୍ୟୁ ପାଇଁ ୨୫୦ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ରେଜିଷ୍ଟ୍ରେଶନ ଏକ୍ସପାରି ହେବା ପରେ ରିନ୍ୟୁ କଲେ ୩୫୦ଟଙ୍କା ଦେବାକୁ ପଡିବ। କୁକୁର ମାଲିକଙ୍କୁ ମେଟାଲ ଟୋକନ କିମ୍ବା ଟ୍ୟାଗ ପ୍ରଦାନ କରାଯିବ। ଜଣେ ମାଲିକ ଅତି ବେଶିରେ ୨ଟି କୁକୁର ରଖି ପାରିବେ। ତେବେ ଯେଉଁ ବ୍ୟକ୍ତି ବୁଲା କୁକୁର ବା ରାସ୍ତାକଡ଼ର କୁକୁର ରଖିବେ ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ଫି’ ଛାଡ କରାଯିବ। ସେହିପରି ମୃତ କୁକୁରର ସମାଧି ପାଇଁ ବିଏମ୍‌ସି ପକ୍ଷରୁ ଭ୍ୟାନ ଯୋଗାଇ ଦିଆଯିବ। ଏଥିପାଇଁ ମାଲିକଙ୍କୁ ବିଏମ୍‌ସି ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ଦେୟ ଦେବାକୁ ପଡିବ। ସେହିପରି ଯେଉଁ ବ୍ୟକ୍ତିମାନେ ନିଜ ପୋଷା କୁକୁରଙ୍କୁ ବିଭିନ୍ନ ଖେଳ ଓ ଡଗ୍‌ ଶୋରେ ସାମିଲ କରାଇବେ ସେମାନଙ୍କୁ ବିଏମ୍‌ସିଠାରୁ ଗେମ ରେଜିଷ୍ଟ୍ରେଶନ ସାର୍ଟିଫିକେଟ ନେବାକୁ ପଡିବ। ଏଥିପାଇଁ ସେମାନଙ୍କୁ ପ୍ରତି କୁକୁର ପିଛା ୨ଶହ ଟଙ୍କା ଦେବାକୁ ପଡିବ। କୁକୁର ମାଲିକି ଏହି ନିୟମକୁ ଉଲ୍ଲଂଘନ କଲେ ପଞ୍ଜୀକରଣ ପ୍ରାଧିକରଣ ଦ୍ୱାରା ଦଣ୍ଡିତ ହେବାକୁ ପଡିବ। ଏପରିକି ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିପାରେ। ଏହାପରେ ଯଦି ନିୟମ ଉଲ୍ଲଂଘନ ଜାରି ରହେ ତେବେ ଅତିରିକ୍ତ ଭାବେ ୭ଦିନ ପର୍ଯ୍ୟନ୍ତ ଦିନକୁ ୨ଶହ ଟଙ୍କା ଜରିମାନା ଗଣିବାକୁ ପହିବ। ଏହାପରେ ସମ୍ପୃକ୍ତ କୁକୁରକୁ ଜବତ କରାଯିବ ଓ ତାହାର ରକ୍ଷଣାବେକ୍ଷଣ ପାଇଁ ଦିନକୁ ୨ଶହ ଟଙ୍କା ହିସାବରେ ମାଲିକଙ୍କୁ ଦେବାକୁ ପଡିବ। ୭ଦିନ ଭିତରେ ମାଲିକ କୁକୁର ନ ନେଲେ ରେଜିଷ୍ଟ୍ରେଶନ ବାତଲ କରିବା ସହ କୁକୁରରୁ ସାର୍ବଜନୀନ ଭାବେ ବିକ୍ରୟ କିମ୍ବା ଆଡପ୍ଟ କରାଯିବ। ସେହିପରି ଗୋଟିଏ ବର୍ଷରେ ୩ଥର ନିୟମର ଉଲ୍ଲଂଘନ କଲେ ରେଜିଷ୍ଟ୍ରେଶନ ବାତିଲ କରାଯିବ। କୁକୁର ଆକ୍ରମଣରେ କାହାକୁ ଆଘାତ ଲାଗିଲେ ବା ମୃତ୍ୟୁ ହେଲେ, ଏଥିପାଇଁ ସମ୍ପୃକ୍ତ ମାଲିକ ଦାୟୀ ରହିବେ। ଏହାବାଦ ବ୍ୟବସାୟିକ ଭିତ୍ତିରେ କୁକୁରଙ୍କୁ ବ୍ୟବହାର କରିବା, ପାଗଳ ଏବଂ ହିଂସ୍ରାତ୍ମକ କୁକୁରଙ୍କୁ କିପରି ଆୟତ୍ତରେ ରଖାଯିବ ଏ ସମସ୍ତ ଦିଗକୁ ଧ୍ୟାନ ଦେଇ ଡ୍ରାଫ୍ଟ ପ୍ରସ୍ତୁତ କରାଯାଇଛି।

Related Articles

Back to top button