ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ସରକାର ପ୍ରସ୍ତୁତ କରିଛନ୍ତି ଏକ ମେଗା ପ୍ଲାନ୍ : ପୃଥ୍ୱୀରାଜ ହରିଚନ୍ଦନ

ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ଓ ଭିଡ଼ ନିୟନ୍ତ୍ରଣ ପାଇଁ ସରକାର ଏକ ମେଗା ପ୍ଲାନ୍ ପ୍ରସ୍ତୁତ କରୁଛନ୍ତି । ଏନେଇ ପୂର୍ତ୍ତ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ଚଳିତ ବର୍ଷ ରଥଯାତ୍ରାରେ ୧୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ସେଥିପାଇଁ ଆସନ୍ତା ବର୍ଷମାନଙ୍କରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ନଜରରେ ରଖି ଏକା ସାଙ୍ଗରେ ୨୫ ଲକ୍ଷ ଶ୍ରଦ୍ଧାଳୁ ପୁରୀ ଆସି କେମିତି ଶୃଙ୍ଖଳିତ ଦର୍ଶନ କରିବେ ସେନେଇ ସରକାର ଯୋଜନା କରୁଛନ୍ତି । ଆସନ୍ତା ୨୦ ବର୍ଷକୁ ଆଖି ଆଗରେ ରଖି ସରକାର ଏକ ନୂଆ ରୂପରେଖ ପ୍ରସ୍ତୁତ କରିବେ। ପୁରୀକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ସମସ୍ତ ଭକ୍ତଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରାଫିକ ପରିଚାଳନା, ଭିଡ଼ ନିୟନ୍ତ୍ରଣ, ପାର୍କିଂ ସହ ନୂଆ ରାସ୍ତା ନିର୍ମାଣ ପାଇଁ ଯୋଜନା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।ଚଳିତ ରଥଯାତ୍ରାରେ ଶରଧାବାଲି ଘଟିଥିବା ଅଘଟଣର ଯେପରି ପୁନରାବୃତ୍ତି ନ ହୁଏ ସେଥିପାଇଁ ଯୋଜନା କରାଯାଉଛି । ଅଧିକ ଭକ୍ତଙ୍କ ସମାଗମ ପାଇଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ହେଲେ ଏପରି ଘଟଣା ପୁଣି ଥରେ ଯେପରି ନଘଟୁ ସେନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବେ। ଆସନ୍ତା ବର୍ଷ କିଭଳି ଶ୍ରଦ୍ଧାଳୁମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ ସେନେଇ ରାଜ୍ୟ ସରକାର ଏବେଠୁ ତତ୍ପର ହୋଇପଡିଛନ୍ତି ।

Related Articles

Back to top button