ହାଇସ୍କୁଲକୁ ଅପଗ୍ରେଡ୍ କରିବା ପାଇଁ କେନ୍ଦୁଝର ଜିଲାପାଳଙ୍କୁ ପ୍ରସ୍ତାବ ମାଗିଲେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ
କେନ୍ଦୁଝର: କେନ୍ଦୁଝର ଜିଲା ଶିକ୍ଷାଧିକାରୀ ଯେଉଁ ଜିଲା ପରିଷଦ ଜୋନ୍ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାହିଁ ସେହିପରି ୬ଟି ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ୨୪ ନଂ ଜିଲା ପରିଷଦ ଜୋନ୍ର ପଞ୍ଚାୟତ ସରକାରୀ ହାଇସ୍କୁଲ,ତରମାକାନ୍ତ,ଚମ୍ପୁଆ ବ୍ଲକ ଅନ୍ତର୍ଗତ ୧୩ ନଂ ଜିଲା ପରିଷଦ ସରକାରୀ ହାଇସ୍କୁଲ ବାଙ୍କୋ, ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ୩୩ ନଂ ଜିଲା ପରିଷଦ ଜୋନ୍ର ପଞ୍ଚାୟତ ହାଇସ୍କୁଲ ଟାଙ୍ଗିରିଆପାଳ,ଯୋଡ଼ା ବ୍ଲକ ଅନ୍ତର୍ଗତ ୨୭ ନଂ ଜିଲା ପରିଷଦ ଜୋନ୍ର ଶ୍ରୀ ଜଗନ୍ନାଥ ସରକାରୀ ହାଇସ୍କୁଲ ଜୁରୁଡି,କେନ୍ଦୁଝର ସଦର ବ୍ଲକର ୪ ନଂ ଜିଲା ପରିଷଦ ଜୋନ୍ର ପଞ୍ଚଶଖା ନୋଡାଲ ହାଇସ୍କୁଲ ଆମୁଣି, ୬ ନଂ ଜୋନ୍ ପ୍ରଗତି ହାଇସ୍କୁଲ,ମଇଦାନକେଲ ଏବଂ ପାଟଣା ବ୍ଲକ ଅନ୍ତର୍ଗତ ୨୧ ନଂ ଜିଲା ପରିଷଦ ଜୋନ୍ର ସରକାରୀ ନୋଡାଲ ହାଇସ୍କୁଲ,ବାଉଁଶୂଳୀ ହାଇସ୍କୁଲକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ କରିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା। ରାଜ୍ୟରେ ମୋଟ୍ ୧୮୩ଟି ହାଇସ୍କୁଲକୁ ଉନ୍ନୀତ କରିବା ପାଇଁ ସମସ୍ତ ଡିଇଓ ପ୍ରସ୍ତାବ ଦେଇଥିଲେ। ବର୍ତ୍ତମାନ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ଚିଠି ନଂ ୧୧୯୫୭ ତା ୧୦/୧୦/୨୦୨୨ରେ ସମସ୍ତ ଜିଲାପାଳଙ୍କୁ ପୁନର୍ବାର ପ୍ରସ୍ତାବ ଦେବା ପାଇଁ ଚିଠି କରିଛନ୍ତି। ଯଦି କୌଣସି ଜିଲା ପରିଷଦ ଜୋନ୍ରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାହିଁ କିମ୍ବା ଏହି ତାଲିକାରୁ ବାଦ୍ ପଡ଼ିଛି ସେଗୁଡିକର ନାମ ଅକ୍ଟୋବର ୧୮ ସୁଦ୍ଧା ଦେବାକୁ କୁହାଯାଇଛି।
ଆସନ୍ତା ଶିକ୍ଷାବର୍ଷଠାରୁ ରାଜ୍ୟରେ ୧୦୦ଟି ହାଇସ୍କୁଲକୁ ଅପଗ୍ରେଡ୍ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ଡ୍ରପ୍ ଆଉଟ୍ ରୋକିବା ପାଇଁ ଏବଂ ନୂତନ ଜାତୀୟ ଶିକ୍ଷାନୀତି ଅନୁସାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏଭଳି ପଦକ୍ଷେପ ନେଉଥିବା କୁହାଯାଉଛି। ଅନେକ ଜିଲା ପରିଷଦ ଜୋନ୍ରେ ଯୁକ୍ତ ୨ କଲେଜ ନ ଥିବାରୁ ମାଟ୍ରିକ ପାସ୍ ପରେ ଛାତ୍ରୀଛାତ୍ର ପାଠ ଛାଡୁଛନ୍ତି। ସରକାରଙ୍କ ଏଭଳି ପଦକ୍ଷେପ ସାକାର ହେଲେ ବିଶେଷକରି ଆଦିବାସୀ ଝିଅମାନେ ଅଧିକ ଉପକୃତ ହେବେ ବୋଲି ଓଷ୍ଟା ସଂଘର କେନ୍ଦୁଝର ଜିଲା ସମ୍ପାଦକ ପ୍ରଶାନ୍ତ ମିଶ୍ର କହିଛନ୍ତି।
ଆଦିବାସୀ ଅଧ୍ୟୁଷିତ ଓ ଦୁର୍ଗମ ଅଞ୍ଚଳରେ ଯୁକ୍ତ ୨ କଲେଜ ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବହୁ ଦୂରରେ ରହିଛି। ତେଣୁ ମାଟ୍ରିକ ପାସ୍ ପରେ ଏତେ ଦୂର ଯାଇ ପିଲାମାନେ ପାଠ ପଢ଼ିବା କଷ୍ଟକର ହେଉଛି। ଯେଉଁଥିପାଇଁ ଛାତ୍ରୀଛାତ୍ର ଅଧାରୁ ପାଠ ଛାଡି ନିଜକୁ ଘରୋଇ କାମରେ ନିୟୋଜିତ ରହୁଛନ୍ତି। ଏଥିରେ ରୋକ ଲଗାଇବାକୁ ଆସନ୍ତା ଶିକ୍ଷା ବର୍ଷଠାରୁ ଅପ୍ଗ୍ରେଡେଶନ କରିବାକୁ ବରିଷ୍ଠ ଶିକ୍ଷାବିତ୍ ରବିନ୍ଦ୍ର କୁମାର ପଣ୍ଡା ସରକାରଙ୍କ ନିକଟରେ ଦାବି କରିଛନ୍ତି। ଏହାଦ୍ୱାରା ଡ୍ରପ୍ଆଉଟ କମିବା ସହିତ ଛାତ୍ରୀଛାତ୍ର ଉଚ୍ଚ ଶିକ୍ଷା ପାଇପାରିବେ ବୋଲି ସେ କହିଛନ୍ତି।
ହରିଚନ୍ଦନପୁର ଟାଙ୍ଗିରିଆପାଳ ପଞ୍ଚାୟତ ଅଧିନସ୍ଥ ପଞ୍ଚାୟତ ହାଇସ୍କୁଲ, ଟାଙ୍ଗିରିଆପାଳରେ ନବମ ଏବଂ ଦଶମ ଶ୍ରେଣୀରେ ୯୦ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ଏହି ଉଚ୍ଚ ବିଦ୍ୟାଳୟକୁ ଉନ୍ନୀତ କରାଯିବା ପାଇଁ ପ୍ରସ୍ତାବ ରହିଛି। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ହେଲେ ଟାଙ୍ଗିରିଆପାଳ ଏବଂ ରାସୋଳ ପଞ୍ଚାୟତର ଆଦିବାସୀ ଛାତ୍ରୀଛାତ୍ର ଅଧିକ ଉପକୃତ ହେବେ।