+୨ ପରୀକ୍ଷା ଫର୍ମ ପୂରଣ ପାଇଁ ଛାତ୍ରଛାତ୍ରୀଙ୍କୁ ପୁଣିଥରେ ସୁଯୋଗ

ଭୁବନେଶ୍ୱର: +୨ ପରୀକ୍ଷା ପାଇଁ ଫର୍ମ ପୂରଣ କରିପାରିନଥିବା ଛାତ୍ରଛାତ୍ରୀଙ୍କୁ ପୁଣିଥରେ ଦିଆଯାଉଛି ସୁଯୋଗ । ଆଗ୍ରହୀ ଛାତ୍ରଛାତ୍ରୀ ଜାନୁଆରୀ ୧୬ରୁ ୧୯ ମଧ୍ୟରେ ଫର୍ମ ପୂରଣ କରିପାରିବେ। ଏଥିପାଇଁ ୪୫୦ ଟଙ୍କାର ଜୋରିମାନା ଦେବାକୁ ପଡିବ । ୨୦ତାରିଖ ଅପରାହ୍ଣ ୪ଟା ସୁଦ୍ଧା ଫର୍ମ ପୂରଣର ସମସ୍ତ କାଗଜପତ୍ର ଦାଖଲ କରିପାରିବେ। ତେଣୁ ଫର୍ମପୂରଣ କରିପାରିନଥିବା କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଏବଂ କରେସପଣ୍ଡେନ୍ସ ପାଠ୍ୟକ୍ରମର ଯୋଗ୍ୟ ଛାତ୍ରଛାତ୍ରୀ ୪୫୦ ଟଙ୍କା ଫାଇନ୍ ଦେଇ ଧାର୍ଯ୍ୟ ତାରିଖରେ ଫର୍ମପୂରଣ କରିବାକୁ ପରିଷଦ ପକ୍ଷରୁ କୁହାଯାଇଛି। ଏନେଇ ସିଏଚଏସଇ ପରୀକ୍ଷା ନିୟନ୍ତ୍ରକ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି।

ସୂଚନାଯୋଗ୍ୟ, ଗତ ଡିସେମ୍ବର ୯ ତାରିଖରେ ଫର୍ମପୂରଣ ଅବଧିକୁ ବଢ଼ାଯାଇଥିଲା। ଡି‌ସେମ୍ବର ୧୨ରୁ ୧୭ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ଫର୍ମପୂରଣ କରିବାକୁ କୁହାଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତଦୁଇ ପରୀକ୍ଷା ଆସନ୍ତା ମାର୍ଚ୍ଚ ପହିଲାରୁ ଆରମ୍ଭ ହେଉଥିବାବେଳେ ଏଥିପାଇଁ ଫର୍ମପୂରଣ ପ୍ରକ୍ରିୟା ଶେଷ ହୋଇଥିଲା । କିନ୍ତୁ ବିଭିନ୍ନ କାରଣରୁ ଅନେକ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିନଥିଲେ । ଏନେଇ ଛାତ୍ରଛାତ୍ରୀଙ୍କ ଅନୁରୋଧକୁ ଦୃଷ୍ଟିରେ ରଖି ପୁଣିଥରେ ଫର୍ମପୂରଣ ପାଇଁ ପରିଷଦ ସୁଯୋଗ ଦେଇଛି ।

Related Articles

Back to top button