ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ କଲେଜ୍‌ ଛାତ୍ରୀଙ୍କୁ ରାଗିଂ ଘଟଣା: ୫ ଛାତ୍ରଙ୍କୁ ଗିରଫ କଲା ପୋଲିସ୍‌

ବ୍ରହ୍ମପୁର: ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ ଛାତ୍ରୀ ରାଗିଂ ଘଟଣାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି । ଗତକାଲି ଉକ୍ତ ଘଟଣାରେ ୨ ଛାତ୍ର ଗିରଫ ହୋଇଥିବା ବେଳେ ଆଜି ୩ ଜଣ ଛାତ୍ରଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଗିରଫ ୫ ଜଣ ଛାତ୍ରଙ୍କ ମଧ୍ୟରୁ ୨ ନାବାଳକ ଥିବା ଏସପି କହିଛନ୍ତି । ଦୁଇ ନାବାଳକଙ୍କୁ ଜୁଭେନାଇଲକୁ ହସ୍ତାନ୍ତର କରାଯିବା ନେଇ ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ. ସୂଚନା ଦେଇଛନ୍ତି ।

ସୂଚନା ଥାଉକି ଗତକାଲି ବିନାୟକ ଆଚାର୍ଯ୍ୟ କଲେଜର ଏକ ଭିଡିଓ ଭାଇରଲ ହୋଇଥିଲା । କଲେଜର କିଛି ଛାତ୍ରଛାତ୍ରୀ କଲେଜ ଡ୍ରେସ ପିନ୍ଧି ଥିବା ବେଳେ ଜଣେ ଛାତ୍ରୀଙ୍କୁ ରାଗିଂ କରିବାର ଏଥିରେ ଦେଖିବାକୁ ମିଳିଥିଲା । ଏଥିରେ ଛାତ୍ର ଜଣଙ୍କ ଅନ୍ୟ କିଛି ଛାତ୍ରଛାତ୍ରୀଙ୍କ ସହ ଅଶ୍ଳୀଳ ଭାଷା ପ୍ରୟୋଗ କରି ଗାଳି ଦେବା ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଦେଖିବାକୁ ମିଳିଥିଲା ।

ଏହାସହ ଜୋର୍ ଜବରଦସ୍ତ ଆଇ ଲଭ୍ ୟୁ କହିବା ପାଇଁ ମଧ୍ୟ ବାଧ୍ୟ କରୁଥିବା ଏଥିରେ ଦେଖିବାକୁ ମିଳିଛି । ଏହି ଘଟଣାରେ ପୋଲିସ ସଂପୃକ୍ତ  ଛାତ୍ରକୁ ଅଟକ ରଖିଥିଲା । ସଂପୃକ୍ତ ଛାତ୍ରଙ୍କ ନାମରେ ଆଗରୁ ଏକାଧିକ ମାମଲା ଥିବା ସୂଚନା ମିଳିଥିଲା । ଛାତ୍ର ଜଣଙ୍କ ଉକ୍ତ କଲେଜ ଯୁକ୍ତ ୩ ଶେଷ ବର୍ଷର ଛାତ୍ର ହୋଇଥିବା ବେଳେ ଏଥିରେ ସଂପୃକ୍ତ ସମସ୍ତ ବିଷୟକୁ ନେଇ ପୋଲିସ୍‌ ଖୋଳତାଡ କରି ୫ ଛାତ୍ରଙ୍କୁ ଗିରଫ କରିଥିବା ଜଣାପଡ଼ିଛି ।

Related Articles

Back to top button