ପୋଲିସ ଗୁଇନ୍ଦା ନିର୍ଦ୍ଦେଶକଙ୍କ କନ୍ଧମାଳ ଗସ୍ତ

ଫୁଲବାଣୀ: ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଯାଇଥିଲେ ରାଜ୍ୟ ପୋଲିସ ଗୁଇନ୍ଦା ନିର୍ଦ୍ଦେଶକ ସଂଜୀବ କୁମାର ପଣ୍ଡା । ପୋଲିସ ଗୁଇନ୍ଦା ନିର୍ଦେଶକ ପଣ୍ଡା ହେଲିକପ୍ଟର ଯୋଗେ ଆସି ଫୁଲବାଣୀ ରିଜର୍ଭ ପଡିଆରେ ପହଞ୍ଚିଥିଲେ । ପରେ ଏସପିଙ୍କ ସମ୍ମିଳନୀ କକ୍ଷଠାରେ ଜିଲାରେ ମାଓ ଗତିବିଧି ଓ ବିଭିନ୍ନ ଆଇନ ଶୃଙ୍ଖଳା ପରିସ୍ଥିତି ସମ୍ପର୍କରେ ବରିଷ୍ଠ ଅଧୀକାରୀମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

କନ୍ଧମାଳ ଜିଲ୍ଲା ଯେପରି ମାଓ ମୁକ୍ତ ଜିଲ୍ଲା ହୋଇପାରିବ ସେନେଇ ଆଲୋଚନା ମଧ୍ୟ କରିଥିଲେ । ମାଓ ଦମନ ବେଳେ ସବୁ ସମୟରେ ସତର୍କତା ଅବଲମ୍ବନ କରିବା ସହ ନିଷ୍ଠା ଓ ଆନ୍ତରିକତାର ସହ କାର୍ଯ୍ୟ କରିବା ପାଇଁ ପୋଲିସ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।

ସୂଚନା ଯୋଗ୍ୟ ଯେ, ଗତ ଦୁଇଦିନ ତଳେ ମାଓବାଦୀମାନେ ବାଲିଗୁଡା ଥାନା ଅନ୍ତର୍ଗତ ସୁଡ୍ରା ଅଂଚଳରେ ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିବା ସହ ରାସ୍ତା କାମ କରୁଥିବା ଠିକାଦାର କ୍ୟାମ୍ପରେ ଥିବା ଜେସିବି, ଟ୍ରାକ୍ଟରକୁ ପୋଡ଼ିଦେଇଥିଲେ । ସେହିପରି ପୋଷ୍ଟରରେ ପୋଲିସ ଇନଫର୍ମର ସାଜିଥିବା ଅନ୍ୟ କେତେକଙ୍କୁ ମଧ୍ୟ ହତ୍ୟା କରିବାଲାଗି ଧମକ ଦେଇଛନ୍ତି ମାଓବାଦୀ । ବର୍ତ୍ତମାନ ଗୁଇନ୍ଦା ନିର୍ଦେଶକ ପଣ୍ଡାଙ୍କ ଗସ୍ତ ପୋଲିସର ମନୋବଳ ବୃଦ୍ଧି କରିବାରେ ସହାୟକ ହେବ ବୋଲି କୁହାଯାଇଛି ।

Related Articles

Back to top button