ଗ୍ୟାଙ୍ଗଷ୍ଟର ସକିଲଙ୍କୁ ବର୍ଷେ ଲାଗି ତଡ଼ିପାର ନିର୍ଦ୍ଦେଶ

କଟକ: ଗ୍ୟାଙ୍ଗଷ୍ଟର ସକିଲଙ୍କୁ ତଡ଼ିପାର ନିର୍ଦ୍ଦେଶ। ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବାରୁ ତାଙ୍କ ନିକଟକୁ ବର୍ଷେ ଲାଗି ତଡ଼ିପାର ନୋଟିସ ପଠାଇଛି କଟକ କମିଶନରେଟ ପୋଲିସ। ଏହା ଅନୁଯାୟୀ ଆଗାମୀ ଗୋଟିଏ ବର୍ଷ ପର୍ଯ୍ୟନ୍ତ ସକିଲ କମିଶନରେଟ ପୋଲିସ ଅଞ୍ଚଳରେ ରହିପାରିବେ ନାହିଁ। ତେବେ ସକିଲ ଛଡ଼ା ଆଉ ୧୧ ଜଣଙ୍କୁ ତଡ଼ିପାର ନିର୍ଦ୍ଦେଶ ଦିଆଯାଇଥିବା ଡିସିପି ପିନାକ ମିଶ୍ର କହିଛନ୍ତି।

କିଛି ଦିନ ପୂର୍ବେ ଜାମିନରେ ଆସିଥିଲେ ସକିଲ । ବିବାହ ଲାଗି ତାଙ୍କୁ କୋର୍ଟ ଜାମିନ ଦେଇଥିଲେ। ବିବାହ ପରେ ସେ ପୁଣି ଅପରାଧ ଘଟାଇବାକୁ ଯୋଜନା କରୁଥିବା ପୋଲିସ ଜାଣିବାକୁ ପାଇଥିଲା। ଏଣୁ ତାଙ୍କ ବିରୋଧରେ ଏଭଳି ନୋଟିସ୍‌ ଜାରି କରାଯାଇଛି। ତେବେ ଏହି ନିର୍ଦ୍ଦେଶ ବିରୋଧରେ ସକିଲ ପୋଲିସ କମିଶନରଙ୍କ ନିକଟରେ ମଧ୍ୟ ତାଙ୍କ ପକ୍ଷ ରଖିପାରିବେ।

ସକିଲ ଜଣେ ପେଶାଦାର ଅପରାଧୀ। ଜେଲରୁ ବାହାରିବା ପରେ ସିଧାସଳଖ କିମ୍ବା ପରୋକ୍ଷରେ କୌଣସି ଅପରାଧିକ କାର୍ଯ୍ୟ ସହ ସେ ଜଡ଼ିତ ଥିବା ଜଣାପଡ଼ିନାହିଁ। କିନ୍ତୁ ପ୍ରତିଷେଧକ ବ୍ୟବସ୍ଥା ଅନୁଯାୟୀ ତଡିପାର ନୋଟିସ କରାଯାଇଛି। ଯଦି କମିଶନରେଟ ପୋଲିସ ଅଞ୍ଚଳ ବାହାରେ ରହି, ସେ ତାଙ୍କ ନେଟୱାର୍କକୁ କାର୍ଯ୍ୟକାରୀ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିପରି ସେ ଯଦି ନୋଟିସକୁ ଅବମାନନା କରନ୍ତି, ତା’ହେଲେ ବି ଓଡ଼ିଶା ଅର୍ବାନ ପୋଲିସ ଆକ୍ଟ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ଡିସିପି କହିଛନ୍ତି।

Related Articles

Back to top button