ଜୁଲାଇ ପହିଲାରୁ ରାଜ୍ୟରେ ପଲିଥିନ ନିଷେଧ; ଗଣିବେ ୫୦୦୦ ଯାଏ ଜରିମାନା

ଆସନ୍ତା ଜୁଲାଇ ପହିଲାରୁ ସମଗ୍ର ଦେଶରେ ଥରେ ବ୍ୟବହୃତ (ସିଙ୍ଗଲ୍‌ ୟୁଜ୍‌) ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାର ନିଷେଧ

ଭୁବନେଶ୍ୱର: ଆସନ୍ତା ଜୁଲାଇ ପହିଲାରୁ ସମଗ୍ର ଦେଶରେ ଥରେ ବ୍ୟବହୃତ (ସିଙ୍ଗଲ୍‌ ୟୁଜ୍‌) ପ୍ଲାଷ୍ଟିକ ସାମଗ୍ରୀର ବ୍ୟବହାରକୁ ନିଷେଧ କରାଯିବ। ରାଜ୍ୟରେ ଏହାକୁ ଲାଗୁ କରିବା ନେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ପରିବେଶକୁ କ୍ଷତି ପହଞ୍ଚାଉଥିବା ପଲିଥିନ ବିକ୍ରି, ବ୍ୟବସାୟ, ଉତ୍ପାଦନ, ଆମଦାନୀ, ପରିବହନ, ଗଚ୍ଛିତ, ବ୍ୟବହାର କିମ୍ବା ବଣ୍ଟନ ଇତ୍ୟାଦି ଉପରେ ସମ୍ପୂର୍ଣ୍ଣ କଟକଣା ରହିବ। ପ୍ଲାଷ୍ଟିକ ବଦଳରେ ପରିବେଶକୁ ଖାପ ଖୁଆଇବା ଏବଂ ନଷ୍ଟ ହୋଇପାରୁଥିବା ସାମଗ୍ରୀ ବ୍ୟବହାର କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି।

ନିଷେଧ କରାଯାଇଥିବା ସାମଗ୍ରୀକୁ ବ୍ୟବହାର କଲେ ୫୦୦ରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡ଼ିବ। ଘରେ କିମ୍ବା ବ୍ୟକ୍ତିଗତ ଭାବେ ବ୍ୟବହାର କରୁଥିଲେ ୫୦୦ ଟଙ୍କା ଜରିମାନା ଦେବାକୁ ହେବ । ସେହିପରି ଯଦି କୌଣସି ସଂସ୍ଥାରୁ ନିଷେଧ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ମିିଳିବ ସମ୍ପୃକ୍ତ ସଂସ୍ଥାକୁ ୫ ହଜାର ଟଙ୍କା ଜରିମାନା ଦେବାକୁ ହେବ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ଏହି ଜରିମାନା ଧାର୍ଯ୍ୟ କରାଯିବ। ସ୍ଥାନୀୟ ପୌର ସଂସ୍ଥା କିମ୍ବା ପଞ୍ଚାୟତ ପକ୍ଷରୁ ସ୍ବତନ୍ତ୍ର ସ୍କ୍ବାଡ ଜରିଆରେ ଏଭଳି ଜରିମାନା ଆଦାୟ କରାଯିବ। ସମଗ୍ର ରାଜ୍ୟରେ ଜୁଲାଇ ପହିଲାରୁ ଏହି କଟକଣା ଜାରି କରାଯିବ ବୋଲି ଜଣାପଡ଼ିଛି।

Related Articles

Back to top button