ଆସନ୍ତା ୬ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ
ଆସନ୍ତା ୬ ତାରିଖରେ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ମିଳିଥିବା ସୂଚନା ଅନୁସାରେ, ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଆସିବେ ରାଷ୍ଟ୍ରପତି । ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ସେହିପରି ୬ରେ ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଯିବେ ରାଷ୍ଟ୍ରପତି । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଇଛି ।ସୂଚନା ଅନୁସାରେ, ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଡିସେମ୍ବର ୩ ତାରିଖରେ ଭୁବନେଶ୍ୱରରେ ପହଞ୍ଚିବେ ଏହି ସମୟରେ ସେ ୩ ଦିନ ଧରି ଭୁବନେଶ୍ୱର ଓ ପୁରୀଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ପରେ ୬ ତାରିଖରେ ମୟୂରଭଞ୍ଜ ଗସ୍ତରେ ଯିବେ ରାଷ୍ଟ୍ରପତି । ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ସ୍ଥିତ ରଙ୍ଗାମାଟିଆ ଅସ୍ଥାୟୀ ହେଲିପ୍ୟାଡ୍ରେ ଅବତରଣ କରିବା ପରେ ଜନ୍ମମାଟି ଉପରବେଡ଼ା ଗସ୍ତରେ ଯିବେ ।
ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଉପଖଣ୍ଡ ଚିକିତ୍ସାଳୟରେ ଏସ୍ଏଲ୍ଏସ୍ ଟ୍ରଷ୍ଟ ପକ୍ଷରୁ ଏକ ଯାନର ଲୋକାର୍ପଣ ସହ ରାଇରଙ୍ଗପୁରସ୍ଥିତ ମହିଳା ମହାବିଦ୍ୟାଳୟରେ ଛାତ୍ରୀଛାତ୍ର ଓ ଶିକ୍ଷକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ପୂର୍ଣ୍ଣେଶ୍ୱର ମହାଦେବ ମନ୍ଦିରରେ ଦର୍ଶନ କରିବା ସହ ଗଣେଶଙ୍କୁ ଆଳତି କରିବେ। ପରଦିନ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ପରେ ସମାନ ଦିନ ଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ।