ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ସେ ବାୟୁସେନାର ସ୍ବତନ୍ତ୍ର ବିମାନରେ ମଙ୍ଗଳବାର ସଂଧ୍ୟା ୬ଟା ୮ରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିଲା ପରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ, ମୁଖ୍ୟ ସଚିବ ପ୍ରଦୀପ କୁମାର ଜେନା, ପୁଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ପ୍ରମୁଖ ସ୍ବାଗତ ଜଣାଇଛନ୍ତି।

ବିମାନବନ୍ଦରରେ ସ୍ବାଗତ ପରେ ରାଷ୍ଟ୍ରପତି ସ୍ବତନ୍ତ୍ର କାର୍‌କେଡ୍‌ରେ ରାଜଭବନକୁ ସିଧାସଳଖ ଯାଇଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ‌ହୋଇଛି। ରାଷ୍ଟ୍ରପତି ରାଜଭବନ ପରିସରରେ ସନ୍ଧ୍ୟା ୭ଟାରେ ଅତୁଟ ବନ୍ଧନ ପରିବାର ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ଏହାପରେ ରାଜଭବନ ପରିସରରେ ନିର୍ମାଣ ହେବାକୁ ଥିବା ନୂଆ କୋଠାର ଶିଳାନ୍ୟାସ କରିବେ।

୨୬ତାରିଖ ସକାଳେ ରାଷ୍ଟ୍ରପତି କଟକ ଉଚ୍ଚ ନ୍ୟାୟାଳୟର ୭୫ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ‌ମହାବିଦ୍ୟାଳୟ ଓ ହସ୍ପିଟାଲର ବାର୍ଷିକ ଉତ୍ସବରେ ଯୋଗଦେବେ। ସଂଧ୍ୟାରେ ପୁଣି ରାଜଭବନକୁ ଫେରିବେ। ଏହାପରେ ୨୭ତାରିଖରେ ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ (ପିଭିଟିଜି) ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଭୁବନେଶ୍ବରର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ୍‌ କମ୍ପ୍ଲେକ୍ସର ଶିଳାନ୍ୟାସ କରିବେ। ୨୭ତାରିଖ ସଂଧ୍ୟାରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ।

ରାଷ୍ଟ୍ରପତିଙ୍କ ଗସ୍ତକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏହାସହ ରାଷ୍ଟ୍ରପତିଙ୍କ ସମସ୍ତ କାର୍ଯ୍ୟକ୍ରମ ସ୍ଥଳରେ ନିରବଚ୍ଛିନ୍ନ ବିଦ୍ୟୁତ ସରବରାହକୁ ସୁନିଶ୍ଚିତ କରିବାକୁ ଶକ୍ତି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସବୁ ସ୍ଥାନରେ ଯଥେଷ୍ଟ ସଂଖ୍ୟକ ଜେନେରେଟର ମହଜୁଦ୍ ରଖିବା ସହ ସେସବୁର କାର୍ଯ୍ୟକ୍ଷମ ବ୍ୟବସ୍ଥାକୁ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ଯେଭଳି କୌଣସି ତ୍ରୁଟି ନଦେଖାଯାଏ ସେ ନେଇ କମିସନରେଟ୍‌ ପୁଲିସ ପ୍ରସ୍ତୁତି ଆରମ୍ଭ କରିଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବ୍ଲୁ ବୁକ୍ ଆଧାରରେ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି। ଡିସିପି ପ୍ରତୀକଙ୍କ ନେତୃତ୍ବରେ ୧୨ଜଣ ଆଡିସିନାଲ ଡିସିପି, ୨୫ ଜଣ ଏସିପି, ୪୦ ଜଣ ଇନ୍‌ସପେକ୍ଟର, ୧୨୦ ଜଣ ଏସ‌୍‌ଆଇ ଓ ଏଏସ୍‌ଆଇ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ରହିବେ। ଏହାସହ ୩ଟି କ୍ୱିକ୍ ରେସପନ୍ସ ଟିମ୍, ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ୍ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ମୁତୟନ ରହିବେ। ବିଭିନ୍ନ ସ୍ଥାନରେ ୩୬ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ। ସେହିଭଳି ୧୬୦ ଟ୍ରାଫିକ୍‌ କର୍ମଚାରୀ ଓ ୧୫୦ ହୋମଗାର୍ଡ, ଅଗ୍ନିଶମ ବିଭାଗର ଅଧିକାରୀ ମଧ୍ୟ ଉପସ୍ଥିତ ରହିବେ।

Related Articles

Back to top button