୨୦ ତାରିଖରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ, ମିଳିବନି ପରିବା

୨୦ ତାରିଖରୁ ରାଜ୍ୟରେ ଗଡ଼ିବନି ଘରୋଇ ବସ। ସାରା ରାଜ୍ୟରେ ବସ ଧର୍ମଘଟ ଡାକରା ଦେଇଛି ରାଜ୍ୟ ଘରୋଇ ବସ ମାଲିକ ସଂଘ। ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଘରୋଇ ବସ ମାଲିକ ସଂଘ ଏଭଳି ନିଷ୍ପତ୍ତି ନେଇଥିବା କହିଛି। ପାର୍ବଣ ସମୟରେ ବସ ଧର୍ମଘଟ ଦ୍ବାରା ଲୋକମାନେ ହଇରାଣ ହୋଇପାରନ୍ତି। କିନ୍ତୁ ପରିସ୍ଥିତି ଧର୍ମଘଟକୁ ଓହ୍ଲାଇବାକୁ ବାଧ୍ୟ କରିଛି ବୋଲି କହିଛନ୍ତି ଘରୋଇ ବସ ମାଲିକ ସଂଘ ସାଧାରଣ ସଂପାଦକ ଓ କୋଷାଧ୍ୟକ୍ଷ।

ଲକ୍ଷ୍ମୀ ବସ ଯୋଜନା ଲାଗୁ ହେବା ପରେ ଘରୋଇ ବସ୍ ମାଲିକମାନେ ଅସୁବିଧାରେ ପଡିବେ । ତେଣୁ ଏହାକୁ ବିରୋଧ କରି ଆସନ୍ତା ୨୦ରୁ ବସ୍ ଧର୍ମଘଟ କରାଯିବ ବୋଲି କହିଛି ସଂଘ। ପୂର୍ବରୁ ଲକ୍ଷ୍ମୀ ବସ ଯୋଜନାକୁ ବିରୋଧ କରି ଅକ୍ଟୋବର ୧୦ତାରିଖରୁ ବସ ଧର୍ମଘଟ କରିବାକୁ ନିଷ୍ପତ୍ତି ନେଇଥିଲା ଘରୋଇ ବସ ମାଲିକ ସଂଘ। ତେବେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସହ ଆଲୋଚନା ପରେ ଅକ୍ଟୋବର ୩୦ ତାରିଖ ପର୍ଯ୍ୟନ୍ତ ଧର୍ମଘଟ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଥିଲା ସଂଘ।

ସେହିପରି ୨୦ତାରିଖରୁ ରାଜଧାନୀରେ ମିଳିନପାରେ କଞ୍ଚା ପରିବା। ଆନ୍ଦୋଳନକୁ ଓହ୍ଲାଇବାକୁ ରାଜଧାନୀ ହାଟ କଞ୍ଚା ପରିବା ବ୍ୟବସାୟୀ ସଂଘର ଚେତାବନୀ। କେବଳ ରାଜଧାନୀ ନୁହେଁ, ରାଜ୍ୟର ଅଧିକାଂଶ ଜିଲ୍ଲାରେ ମଧ୍ୟ କଞ୍ଚା ପରିବା ସଙ୍କଟ ଉପୁଜିପାରେ। ୟୁନିଟ ୧ ହାଟ ମଧ୍ୟକୁ ଯାଇଥିବା ରାସ୍ତାକୁ ବେଆଇନ ଅବରୋଧ ନେଇ ଆନ୍ଦୋଳନକୁ ଓହ୍ଲାଇବ ସଂଘ। ରାସ୍ତା ଅବରୋଧ ଦ୍ବାରା ପରିବା ମଣ୍ଡିକୁ ପରିବା ବୋଝେଇ ଗାଡ଼ି ଚଳାଚଳରେ ଅସୁବିଧା ହେଉଛି ବୋଲି କହିଛନ୍ତି ରାଜଧାନୀ ହାଟ କଞ୍ଚା ପରିବା ବ୍ୟବସାୟୀ ସଂଘ ସମ୍ପାଦକ। ୧୦ଦଫା ଦାବିରେ ସଂଘ ଆନ୍ଦୋଳନ କରିବ ବୋଲି କହିଛି। ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଏମସି ନଶୁଣିବାରୁ ଆସନ୍ତା ୨୦ ତାରିଖରୁ ୟୁନିଟ୍ ୧ ପରିବା ଦୋକାନ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ମହାସଂଘ। .

Related Articles

Back to top button