ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଓ ରେବୋଟିକ୍ସ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ଦେଲା ଆଇଆଇଟି

ଭୁବନେଶ୍ୱର: ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟମାନଙ୍କରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଓ ରେବୋଟିକ୍ସ ଉତ୍କର୍ଷ କେନ୍ଦ୍ର ଖୋଲିବାକୁ ପ୍ରସ୍ତାବ ଦିଆଯାଇଛି । ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱର ପକ୍ଷରୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗକୁ ଏହି ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି । ସ୍ନାତକ ଡିଗ୍ରୀଧାରୀ ଛାତ୍ରଛାତ୍ରୀଙ୍କୁ ଟ୍ରେନିଂ ଦିଆଯାଇ ରୋଜଗାରକ୍ଷମ ଓ ସ୍ୱାବଲମ୍ବୀ କରିବା ଏହି ପ୍ରସ୍ତାବର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଇଛି ।

ତେବେ ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଏହି ପ୍ରସ୍ତାବ ଦିଆଯିବା ପରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜଧାନୀ ସ୍ଥିତ ରମାଦେବୀ କ୍ୟାମ୍ପସରେ କୃତ୍ରିମ ବୁଦ୍ଧିମତା (ଏଆଇ) ଉତ୍କର୍ଷ କେନ୍ଦ୍ର ଖୋଲିବା ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ମତ ରଖିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜାରି ଚିଠିରେ ଉଲ୍ଲେଖ କରାଯାଇଛି । ସୂଚନାଯୋଗ୍ୟ ଯେ, ଦିନକୁ ଦିନ ଏଆଇର ଚାହିଦା ବଢ଼ିବାରେ ଲାଗିଛି । ତେଣୁ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଇଆଇଟି ଭୁବନେଶ୍ୱର ପକ୍ଷରୁ ଏହି ପ୍ରସ୍ତାବ ଦିଆଯାଇଛି । ସେହିପରି ଏଆଇ ଦ୍ୱାରା ଭାରତର ଶିକ୍ଷା କ୍ଷେତ୍ରର ଚ୍ୟାଲେଞ୍ଜକୁ ସମାଧାନ କରାଯାଇ ପାରିବ ବୋଲି ଗତ ବର୍ଷ ସେପ୍ଟେମ୍ବର ମାସରେ ମିଳିତ ଜାତିସଂଘର ଶିକ୍ଷା, ବୈଜ୍ଞାନିକ ଓ ସାଂସ୍କୃତିକ ଅନୁଷ୍ଠାନ (ୟୁନେସ୍କେ) ପକ୍ଷରୁ ଜାରି ଏକ ରିପୋର୍ଟରେ କୁହାଯାଇଥିଲା ।

Related Articles

Back to top button