ଆସନ୍ତାକାଲି ସଂଧ୍ୟା ୬ଟାରୁ ରାତି ୧୦ ଯାଏଁ ବନ୍ଦ ରହିବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ।

ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଯାହାଫଳରେ ଶ୍ରୀମନ୍ଦିରରେ ଚାରିଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଆସନ୍ତାକାଲି ସଂଧ୍ୟା ୬ଟାରୁ ରାତି ୧୦ ଯାଏଁ ବନ୍ଦ ରହିବ ସାଧାରଣ ଦର୍ଶନ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁଯାୟୀ ବୁଧବାର ଶ୍ରାବଣ ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀଜିଉ ମାନଙ୍କ ବନକଲାଗି ନୀତି ଯୋଗୁ ଭକ୍ତମାନଙ୍କ ପାଇଁ ଦର୍ଶନ ବନ୍ଦ ରହିବ।‌ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ନୀତି ଅନୁଷ୍ଠିତ ହେବ। ଦ୍ଵିତୀୟ ଭୋଗମଣ୍ଡପରେ ଭୋଗ ନୀତି ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ବଡ଼ଠାକୁରଙ୍କ ଶ୍ରୀମୁଖ ଶିଙ୍ଗାର କରିବେ। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ ନାହିଁ ସାଧାରଣ ଭକ୍ତ।ବନକଲାଗି ନୀତି ପାଇଁ ପହୁଡ଼ ଆଳତି ପରେ ଜୟ-ବିଜୟ ଦ୍ଵାର ବନ୍ଦ କରାଯାଇଥାଏ। ଏହାପରେ ଦତ୍ତମହାପାତ୍ର ସେବକମାନେ ବନକ ପେଡ଼ି ସହ ରତ୍ନ ସିଂହାସନକୁ ଉଠି ବନକଲାଗି କରିଥାନ୍ତି। ବନକଲାଗି ପାଇଁ ୩ ଖଣ୍ଡ ଶ୍ରୀକପଡ଼ା ଏବଂ ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା ଆଦି ରଙ୍ଗ ବ୍ୟବହାର କରାଯାଇଥାଏ।

ବନକଲାଗି ସରିବା ପରେ ପୂଜାପଣ୍ଡା ସେବକମାନେ ତଳେ ବସି ବଡ଼ଠାକୁରଙ୍କୁ ପଞ୍ଚାମୃତରେ ମହାସ୍ନାନ କରାଇଥାନ୍ତି। ଏହାପରେ ଭକ୍ତଙ୍କୁ ମହାପ୍ରଭୁ ଦର୍ଶନ ଦେଇଥାନ୍ତି।ଅନ୍ୟପଟେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ଅନୁଷ୍ଠିତ ହୋଇଛି। କଳାହାଟ ଦ୍ୱାର ସମ୍ମୁଖରେ ସେବକଙ୍କ ରକ୍ତ ଛିଟା ପଡ଼ିବାରୁ ବଡ଼ ମହାସ୍ନାନ ହୋଇଥିଲା। ସକାଳ ଧୂପର ସମସ୍ତ ଭୋଗ ପୋତାଗଲା ।

Related Articles

Back to top button