୬ ଥାକିଆ ବିଶିଷ୍ଟ ହେବ ପୁରୀ-ଭୁବନେଶ୍ୱର ରାସ୍ତା

ପୁରୀ-ଭୁବନେଶ୍ୱର ରାସ୍ତା ୬ ଥାକିଆ ବିଶିଷ୍ଟ ହେବ । ଏହା ସହିତ ଚଣ୍ଡିଖୋଲ-ବଡ଼ବିଲ ରାସ୍ତା ମଧ୍ୟ ୬ ଲେନ୍ ବିଶିଷ୍ଟ ହେବ । ଏଥିପାଇଁ ରାଜ୍ୟ ସରକାର ଜାତୀୟ ରାଜପଥ ପ୍ରାଧିକରଣ ନିକଟକୁ ପ୍ରସ୍ତାବ ଦେଇଛନ୍ତି । ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥରେ ଏବେ ଭିଡ଼ ବଢ଼ିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ରାସ୍ତା ଚଉଡ଼ା କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ୬୭.୨ କିଲୋମିଟର ବିଶିଷ୍ଟ ଏହି ରାସ୍ତା ପ୍ରଥମେ ୪ ଥାକିଆ ରାସ୍ତା ଥିଲା । ଏହି ଜାତୀୟ ରାଜପଥକୁ ସମ୍ପ୍ରସାରଣ କରାଯାଇ ୬ ଥାକିଆ ରାସ୍ତା ନିର୍ମାଣ କରାଯିବ । ସେହିପରି ଚଣ୍ଡିଖୋଲ ରୋଡ-ବଡ଼ବିଲ ରାସ୍ତାକୁ ୬ଲେନ୍ ବିଶିଷ୍ଟ କରିବା ସହ ରାସ୍ତାରେ ଉଭୟ ପାର୍ଶ୍ୱରେ ଦୁଇଲେନ୍ ବିଶିଷ୍ଟ ସର୍ଭିସ ରୋଡ୍ ନିର୍ମାଣ କରିବା ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ଏହି ପ୍ରସ୍ତାବକୁ ଅନୁମୋଦନ କରି ଜାତୀୟ ରାଜପଥ ପ୍ରାଧିକରଣ ନିକଟକୁ ପଠାଯାଇଛି ।

ଏହି ପ୍ରସ୍ତାବ ସମ୍ପର୍କରେ ରାଜ୍ୟ ପୂର୍ତ୍ତ ବିଭାଗ ପକ୍ଷରୁ ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ଅବଗତ କରାଯିବା ସହ ପ୍ରକଳ୍ପ କାର‌୍ୟ୍ୟକ୍ଷମ ପାଇଁ ପରବର୍ତ୍ତୀ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି । ରାଜ୍ୟ ପୂର୍ତ୍ତ ବିଭାଗର ସ୍ୱତନ୍ତ୍ର ସଚିବ ଲକ୍ଷ୍ମୀକାନ୍ତ ପାଢ଼ୀ ଏନେଇ ଜାତୀୟ ରାଜପଥ ପ୍ରାଧିକରଣର ଭୁବନେଶ୍ୱରସ୍ଥିତ ଆଂଚଳିକ ଅଫିସକୁ ଚିଠି ଲେଖି ଅବଗତ କରାଇଛନ୍ତି । ଏହି ରାସ୍ତା ପାଇଁ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରି ଚୂଡ଼ାନ୍ତ କରିବା ନିମନ୍ତେ ଜାତୀୟ ରାଜପଥ ପ୍ରାଧିକରଣଙ୍କୁ ସେ ଅନୁରୋଧ କରିଛନ୍ତି ।

Related Articles

Back to top button