ପୁରୀରେ ପହଞ୍ଚିଲା ପଞ୍ଚମ ପର୍ଯ୍ୟାୟ ରଥକାଠ

ପୁରୀ: ରଥଯାତ୍ରା ପାଇଁ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡରୁ ଆସିଲା କାଠ । ପଞ୍ଚମ ପର୍ଯ୍ୟାୟରେ ଏହି ରଥକାଠ ଆସି ଆଜି ପୁରୀରେ ପହଞ୍ଚିଛି । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର ବାଇବାଲ ଜଙ୍ଗଲରୁ ୨୫ ଖଣ୍ଡ କାଠ ଆସିଥିବା ବେଳେ ସେଥିରେ ୨୦ ଟି ୨୨ ଫୁଟିଆ ଧଉରା ଓ ୫ଟି ଫାସୀ କାଠ ରଥଖଳାରେ ପହଞ୍ଚିଛି।

ରଥ ତତ୍ୱବଧାରକ ସୁଦର୍ଶନ ମେକାପଙ୍କ ସୂଚନା ଅନୁଯାୟୀ, ରଥଯାତ୍ରା ପାଇଁ ସମୁଦାୟ ୮୬୫  ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଗତବର୍ଷର ୧୧୮ ଖଣ୍ଡ କାଠ ବଳକା ରହିଛି। ତେଵେ ସମୁଦାୟ ରଥଖଳାକୁ ବର୍ତ୍ତମାନ ସୁଦ୍ଧା ୨୦୬  ଖଣ୍ଡ କାଠ ପହଞ୍ଚି ଥିବାବେଳେ କଟକ ସ୍ଥିତ ଖପୁରିଆ କଳତକଳକୁ ୮୧ ଖଣ୍ଡ କାଠ ଯାଇଛି ।

ସେପଟେ ଘୁମୁସରରୁ ରଥକାଠ ଆସିବା ପରେ ପ୍ରତ୍ୟେକଟି ଜାଗାରେ ଭକ୍ତମାନେ ବନ୍ଦାପନା ସହ ପୂଜାର୍ଚ୍ଚନା କରିଛନ୍ତି। ଅନ୍ୟପଟେ ମହାପ୍ରଭୁଙ୍କ ରଥକାଠ ଆଣିବା ସେବାକରି ନିଜକୁ ବେଶ୍ ଧନ୍ୟମନେ କରିଛନ୍ତି ଟ୍ରକ୍ ଡ୍ରାଇଭର ନବୀନ ବେହେରା ।

ସୂଚନାଥାଉ କି, ରଥଯାତ୍ରା ପାଇଁ କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତଙ୍କ ଅଧ୍ୟକ୍ଷତାରେ ପ୍ରଥମ ସମନ୍ଵୟ ବୈଠକ ଗତକାଲି ଅନୁଷ୍ଠିତ ହୋଇଛି। ଶୃଙ୍ଖଳିତ ନୀତି, ଜନଗହଳି ନିୟନ୍ତ୍ରଣ, ବିଭିନ୍ନ ବିଭାଗର ସେବା ନେଇ ବୈଠକରେ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଛି। ବିଶେଷ କରି ସ୍ଵାସ୍ଥ୍ୟସେବା ଓ ବିଦ୍ୟୁତ୍ ଯୋଗାଣ ନେଇ ବୈଠକରେ ସରଗରମ ଆଲୋଚନା ହୋଇଥିଲା।

ବୈଠକରେ ମଧ୍ୟ ଏହି ରଥକାଠ ସମ୍ପର୍କରେ ଆଲୋଚନା ହୋଇଥିଲା ।  ରଥଯାତ୍ରା ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ସୁଦ୍ଧା ରଥଖଳାକୁ ୧୫୬ ଖଣ୍ଡ ଓ ଖପୁରିଆ କରତ କଳକୁ ୮୧ ଖଣ୍ଡ କାଠ ଆସିଛି। ଭବିଷ୍ୟତରେ କେତେ ବର୍ଷ ପାଇଁ ରଥ କାଠ ମହଜୁଦ ଅଛି ଓ କେତେ କାଠ ଆବଶ୍ୟକ ସେ ନେଇ ଉପସ୍ଥିତ ସଦସ୍ୟ ପ୍ରଶ୍ନ କରିଥିଲେ। ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ ସ୍ଥିତି ନେଇ ଡାଟା ବେସ ପ୍ରସ୍ତୁତ ହେଉଥିବା କେନ୍ଦ୍ରାଞ୍ଚଳ ରାଜସ୍ବ ଆୟୁକ୍ତ ସୂଚନା ଦେଇଛନ୍ତି।

Related Articles

Back to top button