ଜଗନ୍ନାଥଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଥିବା ହେତୁବାଦୀଙ୍କ ଗିରଫ ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ପୁରୀ : ଧର୍ମ ସଂସ୍କୃତି ଓ ପରମ୍ପରା ସହ ଜଗନ୍ନାଥଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦ ଘେରରେ ହେତୁବାଦୀ। ହେତୁବାଦୀଙ୍କୁ ଗିରଫ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ଛତିଶା ନିଯୋଗ । ହେତୁବାଦୀଙ୍କ ଏଭଳି କଥାବାର୍ତ୍ତା ସେବାୟତଙ୍କ ମନରେ ଗଭୀର ଦୁଃଖ ଦେଇଥିବା ନେଇ ଅଭିଯୋଗ କରିଛନ୍ତି । ତେଣୁ ହେତୁବାଦୀଙ୍କ ଏଭଳି  କାର୍ଯ୍ୟ ଆମ ଜଗନ୍ନାଥ ସଂସ୍କୃତି ପ୍ରତି କୁଠାର ଘାତ ବୋଲି କହିଛନ୍ତି ।ଏନେଇ ହେତୁବାଦୀଙ୍କୁ ଗିରଫ କରିବା ଦାବି ନେଇ ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ପାଟଯୋଶୀ ପତ୍ରରେ ଦର୍ଶାଇଛନ୍ତି ଯେ ଗତ ରାହୁଗ୍ରସ୍ତ ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ ଦିନ କିଛି ବ୍ୟକ୍ତି ଶହ ଶହ ବର୍ଷର ଚିରାଚରିତ ପ୍ରଥା ଓ ପରମ୍ପରାକୁ ବିରୋଧ କରି କୋଟି କୋଟି ହିନ୍ଦୁଙ୍କ ଧର୍ମଭାବନା ଓ ବିଶ୍ବାସକୁ କୁଠାରଘାତ କରିଛନ୍ତି  । ଏଥିସହ ହେତୁବାଦୀମାନେ ଭଗବାନ ଶ୍ରୀ ରାମ ଓ ଲକ୍ଷ୍ମଣଙ୍କ ଚରିତ୍ର ସଂହାର କରି ବୟାନ ଦେବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଭାତ ଚିକେନ ଭୋଗ ଲଗାଇବାକୁ କହି ସବୁ ସୀମା ଉଲଂଘନ କରିଥିବା ଅଭିଯୋଗ ହୋଇଛି  ।

ହେତୁବାଦୀମାନେ ସେମାନଙ୍କର ବିଶ୍ବାସ ନେଇ ବଞ୍ଚିବା ତାଙ୍କ ଅଧିକାର କିନ୍ତୁ କୋଟି କୋଟି ହିନ୍ଦୁଙ୍କର ଆସ୍ଥା ଏବଂ ବିଶ୍ବାସକୁ ବିରୋଧ କରିବାର ଅଧିକାର ସେମାନଙ୍କର ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର  । ଏନେଇ ହେତୁବାଦୀଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି କରିଛନ୍ତି ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ  ।

Related Articles

Back to top button