
ପୁଣି ସେବାୟତଙ୍କ ମଧ୍ଯରେ ଝଗଡ଼ା। ରାଜ୍ୟ ସରକାର ଓ ଶ୍ରୀ ମନ୍ଦିର ପ୍ରଶାସକଙ୍କ ଅନେକ ତାଗିଦ୍ ପରେ ବି ସୁଧୁରୁ ନାହାନ୍ତି ଶ୍ରୀମନ୍ଦିର ସେବାୟତ। ଆଜି ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟରେ ଦୁଇ ସେବାୟତ ଗୋଷ୍ଠୀ ମାଡପିଟ୍ ହୋଇଛନ୍ତି। ଏଥିରେ ଜଣେ ବରିଷ୍ଠ ସେବାୟତ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।
ସୂଚନା ଅନୁଯାୟୀ ସୋମବାର ଅପରାହ୍ନରେ ଶ୍ରୀମନ୍ଦିର ବେହରଣ ଦ୍ୱାର ନିକଟସ୍ଥ ମୁକ୍ତିମଣ୍ଡପ ପାଖରେ ସେବାୟତ ବିଶ୍ୱନାଥ ଖୁଣ୍ଟିଆ ଶ୍ରଦ୍ଧାଳୁଙ୍କୁ ପାଦୁକା ବାଣ୍ଟୁଥିଲେ। ଠିକ୍ ସେତିକି ବେଳେ ନିଜ ସମ୍ପର୍କୀୟ ସେବାୟତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଯେଉଁଥିପାଇଁ ଶ୍ରୀ ଖୁଣ୍ଟିଆ ଲହୁ ଲୁହାଣ ହୋଇଥିଲେ। ମନ୍ଦିର ପୁଲିସ୍ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଥିଲା। ଏ ନେଇ ସେ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ୍ ୫ରୁ୬ ଜଣ ସେବାୟତଙ୍କୁ ଥାନାକୁ ଡାକି ପଚରାଉଚରା କରୁଛି ହେଲେ ଆକ୍ରମଣର କାରଣ ଜଣାପଡ଼ି ନାହିଁ। ପାରିବାରିକ ଗଣ୍ଡଗୋଳ ଯୋଗୁ ଏପରି ହୋଇଥିବା ଚର୍ଚ୍ଚା ହେଉଛି।