
ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀଙ୍କ କ୍ବାର୍ଟର ସମେତ ୭ଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ
ବାଲେଶ୍ଵର : ଆର ଆଣ୍ଡ ବି ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ। ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପୂର୍ତ୍ତ ଡିଭିଜନ-୨ର ସହକାରୀ ଯନ୍ତ୍ରୀ ଅଜୟ କୁମାର ସେନାପତିଙ୍କ ସରକାରୀ କ୍ବାର୍ଟର ସମେତ ୭ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ାଉ ହୋଇଛି । ପୁରୀ,ବାଲେଶ୍ଵର ଓ ଖୋର୍ଦ୍ଧା ଜିଲ୍ଲାର ୭ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।
ପୁରୀର ହରିଚଣ୍ଡୀ ସାହିର, ଦାମୋଦର ରୋଡ, ମଦନମୋହନ ଲେନରେ ଅବସ୍ଥିତ ଅଜୟ କୁମାର ସେନାପତିଙ୍କ ଆବାସିକ ଘର,ବାଲେଶ୍ୱରର ସରକାରୀ କ୍ବାର୍ଟର, ଅନନ୍ ପାମ୍ ବିଚର ଦ୍ବିତୀୟ ମହଲାରେ ଥିବା ୨୦୬୩ ନମ୍ବର ଫ୍ଲାଟ୍, କାର୍ଯ୍ୟନିର୍ବାହୀ ଯନ୍ତ୍ରୀ (ଆର ଆଣ୍ଡ ବି) ଡିଭିଜନ୍-୨, ବାଲେଶ୍ୱରରେ ଥିବା ଶ୍ରୀ ସେନାପତିଙ୍କ ଅଫିସ୍ ରୁମ୍, ଖୋର୍ଦ୍ଧାର ବାଲୁଗାଁରେ ଦୁଇ ମହଲା କୋଠା, ବାଣପୁରର ଭାଗବତ ସାହିରେ ଥିବା ପୈତୃକ ଘର ଟଟାଙ୍ଗୀରେ ଥିବା ଶ୍ରୀ ସେନାପତିଙ୍କ ସମ୍ପର୍କୀୟଙ୍କ ଘରେ ଚଢ଼ାଉ ହୋଇଛି।
ଭୁବନେଶ୍ବର ଭିଜିଲାନ୍ସ ସ୍ୱତନ୍ତ୍ର ବିଚାରପତିଙ୍କ ଦ୍ବାରା ଜାରି ସର୍ଚ୍ଚ ୱାରେଣ୍ଟ୍ ଅନୁସାରେ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ଚଢ଼ାଉ ହୋଇଛି। ଚଢ଼ାଉରେ ୪ ଡିଏସପିଙ୍କ ସମେତ ୧୦ ଇନସ୍ପେକ୍ଟର ୨ ସଵ ଇନସ୍ପେକ୍ଟର ଓ ଭିଜିଲାନ୍ସର ଅନ୍ୟ କର୍ମଚାରୀ ସାମିଲ ରହିଛନ୍ତି।