ବିଜେଡି ଲୁଟୁଥିଲା, ଏବେ ବିଜେପି ଲୁଟୁଛି : ରାହୁଲ ଗାନ୍ଧୀ

କଂଗ୍ରେସ ଦ୍ୱାରା ରାଜଧାନୀ ଭୁବନେଶ୍ୱରର ବରମୁଣ୍ଡା ପଡିଆରେ ଆୟୋଜିତ ସମ୍ବିଧାନ ବଞ୍ଚାଅ ସମାବେଶକୁ ସମ୍ବୋଧିତ କରିଛନ୍ତି ଲୋକସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଏହି ସମୟରେ ସେ ଶାସକ ବିଜେପି ଉପରେ ଖୁବ ବର୍ଷିଛନ୍ତି । ଏଥିସହ କଂଗ୍ରେସ କର୍ମକର୍ତ୍ତାଙ୍କ ମୁଡ କିପରି ଅଛି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ଓଡିଶା ସରକାର କେବଳ ଗରିବଙ୍କୁ ଲୁଟୁଥିବା ରାହୁଲ କହିଛନ୍ତି ।

କଂଗ୍ରେସ ସାଂସଦ କହିଛନ୍ତି, ପ୍ରଥମେ ଓଡିଶାକୁ ବିଜେଡି ଲୁଟୁଥିଲା ଏବଂ ଏବେ ବର୍ତ୍ତମାନର ସରକାର ଲୁଟୁଛନ୍ତି । କେନ୍ଦ୍ରର ବିଜେପି ସରକାର ପୂରା ଦେଶର ସମ୍ବିଧାନ ଉପରେ ଆକ୍ରମଣ କରୁଛି । ବିହାରରେ ଆଗାମୀ ବିଧାନସଭା ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି । ମହାରାଷ୍ଟ୍ରରେ ଏକ କୋଟି ନୂଆ ଭୋଟର କୁଆଡେ ଆସିଲେ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି । ମହାରାଷ୍ଟ୍ର ପରି ଏବେ ବିହାରରେ ବି ନିର୍ବାଚନ ଚୋରି କରିବାକୁ ଉଦ୍ୟମ ଚାଲିଛି । କିନ୍ତୁ ଆମେ ଏଭଳି କରିବାକୁ ଦେବୁନି । ପୁରା ଶକ୍ତିର ସହ ସେମାନଙ୍କୁ ଅଟକାଇବୁ । ରାହୁଲ ଏହା ମଧ୍ୟ କହିଛନ୍ତି, ଜଳ, ଜଙ୍ଗଲ, ଜମି ଆଦିବାସୀଙ୍କ ଅଛି ଏବଂ ରହିବ । ଓଡିଶାରେ ବିନା ପଚରି ଆଦିବାସୀଙ୍କୁ ଜମିରୁ ହଟାଯାଉଛି । ପେସା ଆଇନ ଲାଗୁ ହେଉନି, କିନ୍ତୁ ଆମେ ସରକାରକୁ ଆସିଲେ ଲାଗୁ କରିବୁ । ବିକାଶ ୨/୩ ଅରବପତିଙ୍କ ପାଇଁ କରାଯାଏନି । ବିକାଶ ଓଡିଶାର ଜନତା ପାଇଁ କରିବା ଉଚିତ୍ । ଏଠାକାର ସରକାର ଜଙ୍ଗଲ, ଜମିରୁ ଆପଣଙ୍କୁ ହଟାଉଛି । ଆପଣଙ୍କୁ ସଠିକ୍ କ୍ଷତିପୂରଣ ମିଲୁନି । ଓଲଟା ଆପଣମାନଙ୍କୁ ଧମକ ମିଳୁଛି । ନିର୍ଯାତିତ ଲୋକଙ୍କ ପାଇଁ କଂଗ୍ରେସ ଠିଆ ହୋଇଛି ଏବଂ ଠିଆ ହୋଇ ରହିବ । ଆପଣଙ୍କ ଜମି ପଟ୍ଟା କଂଗ୍ରେସ ଫେରସ୍ତ କରିବ । କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ମୋଦୀ ଫସଲ ବୀମା ଯୋଜନା ଲାଗୁ କରିଥିଲେ । ଏଥିପାଇଁ ମୋଦୀ ଆପଣଙ୍କଠୁ ଟଙ୍କା ନେଲେ, କିନ୍ତୁ ଚାଷୀଙ୍କୁ କ୍ଷତିପୂରଣ ଦେଲେନି ।

ପୁରୀ ରଥଯାତ୍ରା ଅଘଟଣକୁ ନେଇ ରାହୁଲ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଆଦାନୀ ଓ ତାଙ୍କ ପରିବାର ପାଇଁ ରଥକୁ ରୋକି ଦିଆଗଲା । ଏହା ଆପଣଙ୍କ ସରକାର ନୁହେଁ, ଆଦାନୀଙ୍କ ଭଳି ଉଦ୍ୟୋଗପତିଙ୍କ ସରକାର । ଏମାନଙ୍କ ଲକ୍ଷ୍ୟ ଆପଣଙ୍କ ଜମି ଜଙ୍ଗଲ ଚୋରି କରିବା । ଆପଣଙ୍କର ଜଙ୍ଗଲ, ଜମି ନେଉଛନ୍ତି । କିନ୍ତୁ ଆପଣଙ୍କର କେତେ ଜଣଙ୍କୁ ଚାକିରି ମିଳିଛି । ଓଡିଶାରେ ୪୦ ହଜାରରୁ ଉର୍ଦ୍ଧ୍ୱ ମହିଳା ଗାଏବ ହୋଇଛନ୍ତି । ଏମାନେ କୁଆଡେ ଗଲେ କେହି ଜାଣି ନାହାନ୍ତି । ପ୍ରତିଦିନ ରାଜୟରେ ୧୫ ମହିଳାଙ୍କ ସହ ଦୁଷ୍କର୍ମ ହେଉଛି, କିନ୍ତୁ ସରକାର ନୀରବଦ୍ରଷ୍ଟା । ଏଠି ସରକାର କେବଳ ଆପଣଙ୍କର ରକ୍ତ ଶୋଷୁଛି । ମୁଁ ଏହି ସରକାର ବିରୋଧରେ ଲଢିବାକୁ ଚାହୁଁଛି ।

ତେଲେଙ୍ଗାନା ଉଦାହରଣ ଦେଇ ଜାତିଗଣନା ଜରୁରୀ ବୋଲି କହିଛନ୍ତି ରାହୁଲ ଗାନ୍ଧୀ । ଏଠି ଦଳିତଙ୍କୁ ନା ସରକାରରେ ସ୍ଥାନ ମିଳୁଛି ନା ବ୍ୟୁରୋକାସିରେ ମିଳୁଛି । ଓଡିଶାରେ ପରିବର୍ତ୍ତନ ଆଣିବାକୁ ହେଲେ ଜାତିଗଣନା ଜରୁରୀ । ଜାତିଗଣନା ହେଲେ ଦଳିତ, ପଛୁଆ ସେମାନଙ୍କ ପ୍ରକୃତ ଶକ୍ତି ଜଣାପଡିବ । ଏହା ପୂର୍ବରୁ ଭୁବନେଶ୍ୱରରେ ପହଞ୍ଚିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା। ରାହୁଲଙ୍କ ସହ ଇଓଉଉ ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗେ ବି ଆସି ପହଞ୍ଚିଥିଲେ । ବିମାନବନ୍ଦରରୁ ବରମୁଣ୍ଡା ପଡ଼ିଆ ଯାଏଁ ରାହୁଲ ରୋଡ ସୋ କରିଥିଲେ ।

Related Articles

Back to top button