ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚମ ବଙ୍ଗୋପସାଗର ଓ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଆଜି ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ପାଶ୍ୱର୍ବତ୍ତୀ ଉତ୍ତର ଓଡ଼ିଶା ଅଂଚଳରେ ସକ୍ରିୟ ରହିଛି । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ଅସନ୍ତା ୨୪ ଘଣ୍ଟା ମଧ୍ୟରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୨୦ଟି ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

 

ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ମୌସୁମୀ ପ୍ରବାହ ସ୍ୱାଭାବିକ ଥିବାବେଳେ ୧୪ ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି, ଯାହା ସ୍ୱାଭାବିକ ବର୍ଷା ୧୦ ମିମି ତୁଳନାରେ ୪୬% ଅଧିକ ରହିଛି । ଦେବଗଡ଼ ଜିଲ୍ଲାର ବାରକୋଟଠାରେ ସର୍ବାଧିକ ୧୨୭ ଦଶମିକ ୬ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ସୁନ୍ଦରଗଡ ଜିଲ୍ଲାର ଗୁରୁଣ୍ଡିଆ ଠାରେ ୧୦୪ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ରାୟଗଡାର ଗୁଣପୁର ଠାରେ ୮୭.୪ ମିମି ବର୍ଷା ରେକର୍ଡ ହୋଇଛି ।

 

ମୌସୁମୀ ନିମ୍ନ ଚାପ ରେଖା ଆଜି ରାଜସ୍ଥାନର ବିକାନର ରୁ ବାହାରି, କୋଟା, ରାଇସେନ, ମାଣ୍ଡଲା, ଅମ୍ବିକାପୁର, ଦେଇ ଓଡ଼ିଶାର ବାଲେଶ୍ୱର ରୁ ପୂର୍ବ-ଦକ୍ଷିଣ ପୂର୍ବ ଦିଗରେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଯାଏଁ ଲମ୍ବିଛି । ଚଳିତ ମୌସୁମୀ ଋତୁରେ ୧ ଜୁନ ରୁ ଆଜି ୬ ଜୁଲାଇ ମଧ୍ୟରେ ରାଜ୍ୟରେ ୧୯୧.୧ ମିମି ବର୍ଷା ରେକର୍ଡ କରାଯାଇଛି ଯାହା ସ୍ୱାଭାବିକ ବର୍ଷା ୨୬୫.୮ ମିମି ତୁଳନାରେ ୨୮ ପ୍ରତିଶତ କମ ରହିଛି ।

Related Articles

Back to top button