
୨୬ ତାରିଖରୁ ପୁଣି ବର୍ଷା, ସବୁ ଜିଲ୍ଲାକୁ ସତର୍କ କରାଇଲେ ଏସ୍ଆର୍ସି
ଭୁବନେଶ୍ୱର: ରାଜ୍ୟରେ ପୁଣି ବର୍ଷା ସମ୍ଭାବନା ନେଇ ସତର୍କ କରାଇଲା ପାଣିପାଗ ବିଭାଗ। ୩ ଦିନ ପରେ ପୁଣିଥରେ ପଶ୍ଚିମା ଝଡ଼ ସକ୍ରିୟ ହୋଇଛି। ଏହା ପ୍ରଭାବରେ ୨୬ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ଝଡ଼ବର୍ଷା ସମ୍ଭାବନା ରହିଛି ବୋଲି ଭୁବେନଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଏଣୁ ସମସ୍ତ ଜିଲ୍ଲାକୁ ସତର୍କ ରହିବାକୁ ଚିଠି ଲେଖି ସତର୍କ କରାଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର୍(ଏସ୍ଆର୍ସି)।
ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ୨୬ତାରିଖ ଦିନ ମାଲକାନଗିରି, ରାୟଗଡ଼ା,କୋରାପୁଟ, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ବୌଦ୍ଧ, ଅନୁଗୁଳ, ଯାଜପୁର, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଓ ବାଲେଶ୍ୱର ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେଇପାରେ।
ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦ କିମି ମଧ୍ୟରେ ରହିବ। ଏଣୁ ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ୨୭ ତାରିଖ ଦିନ ବର୍ଷା ବଢ଼ିବ। ଉପକୂଳ ଜିଲ୍ଲାମାନଙ୍କକରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ। ପବନର ବେଗ ଘଣ୍ଟା ପ୍ରତି ୪୦କିମି ରହିବ ବୋଲି ପାଣିପାଗ ବିଭାଗ କହିଛି।
ବର୍ଷା ଓ ପବନ ଯୋଗୁ ୟାଲେ ୱାର୍ଣିଂ ଜାରି ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଆଗୁଆ ପ୍ରସ୍ତୁତି କରିବାକୁ ସ୍ୱତନ୍ତ୍ର ରିଲିଫ କମିଶନର ଚିଠି ଲେଖି କହିଛନ୍ତି। ବର୍ଷା, ପବନ ଓ ବଜ୍ରପାତରେ ସମୟରେ ଲୋକମାନେ ସୁରକ୍ଷିତ ସ୍ଥାନରେ ରହିଛନ୍ତି କି ନାହିଁ, ତଳୁଆ ସହରାଞ୍ଚଳରେ ଜଳ ନିଷ୍କାସନର ବ୍ୟବସ୍ଥା ହୋଇଛି କି ନାହିଁ, ଓ କ୍ଷୟକ୍ଷତି ସମ୍ପର୍କରେ ତୁରନ୍ତ ରିପୋର୍ଟ ଦେବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।