ରାଜ୍ୟରେ ଅଗଷ୍ଟ ୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର ଓଡ଼ିଶା ଏବଂ ଏହାର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ଅଗଷ୍ଟ ୨ ପର୍ଯ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବରୁ ଦୁଇଟି ଲଘୁଚାପ ସୃଷ୍ଟି ହୋଇଥିଲେ ହେଁ ଆଶାନୁରୂପ ବର୍ଷା ହେଲା ନାହିଁ। ଶନିବାର ସୃଷ୍ଟି ହୋଇଥିବା ଲଘୁଚାପ ସାରା ରାଜ୍ୟରେ ଭଲ ବର୍ଷିବ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ଆସନ୍ତା ୨୪ଘଣ୍ଟା ମଧ୍ୟରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଏବଂ ଢେଙ୍କାନାଳର କିଛି ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ଏହି ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇ ଥିବାବେଳେ ଭଦ୍ରକ, କଟକ, ଯାଜପୁର, ପୁରୀ, ଅନୁଗୋଳ, ଦେବଗଡ଼, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ବଲାଙ୍ଗୀର, ବୌଦ୍ଧ, ବରଗଡ଼, କଳାହାଣ୍ଡି, କନ୍ଧମାଳ, ସୁନ୍ଦରଗଡ଼ ଏବଂ ଖୋର୍ଦ୍ଧା ଜିଲାର କିଛି ଅଞ୍ଚଳରେ ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଉପରୋକ୍ତ ଜିଲାଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଦ୍ବାରା ଗ୍ରାମାଞ୍ଚଳ ଓ ସହରାଞ୍ଚଳର ତଳିଆ ସ୍ଥାନଗୁଡ଼ିକରେ ବର୍ଷାପାଣି ଜମିବା ଆଶଙ୍କା ରହିଛି। କଚ୍ଚା ରାସ୍ତା ଧୋଇ ହୋଇଯିବା ସହ କଚ୍ଚାଘର ଭାଙ୍ଗିପାରେ। କନ୍ଧମାଳ ଓ କଳାହାଣ୍ଡି ଜିଲାରେ ପାହାଡ଼ରୁ ମାଟି ଅତଡ଼ା ଧସିବା ସହ ଅନୁଗୋଳ ଏବଂ ଢେଙ୍କାନାଳ ଜିଲାରେ ଖଣି ଖନନ କାର୍ଯ୍ୟ ନିୟନ୍ତ୍ରଣରେ ରଖିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ପାଣିପାଗ ବିଭାଗର ସତର୍କତାକୁ ଦୃଷ୍ଟିରେ ରଖି ସମ୍ପୃକ୍ତ ଜିଲାର ଜିଲାପାଳମାନେ ସତର୍କ ରହିବାକୁ ରାଜ୍ୟ ସ୍ବତନ୍ତ୍ର ରିଲିଫ୍‌ ଆୟୁକ୍ତ(ଏସଆରସି) ସତ୍ୟବ୍ରତ ସାହୁ ନିର୍ଦେଶ ଦେଇଛନ୍ତି।

ଗତ ୨୪ଘଣ୍ଟାରେ ହରଭଙ୍ଗାରେ ସବୁଠୁ ଅଧିକ ବର୍ଷା ୧୬୨.୨ମି.ମି. ରେକର୍ଡ ହୋଇଥିବା ବେଳେ ଫୁଲବାଣୀ ୯୮.୮, ଚାନ୍ଦୁଆ ୯୭ ଏବଂ ଜାମଶୋଳାଘାଟରେ ୮୨.୮ମି.ମି. ବର୍ଷା ହୋଇଛି। ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଲଘୁଚାପ ପ୍ରଭାବରେ ଅଗଷ୍ଟ ୪ ପର୍ଯ୍ୟନ୍ତ ବର୍ଷା ହେବାକୁ ଥିବାବେଳେ ଅଗଷ୍ଟ ୧ ଓ ୨ରେ ଅତ୍ୟନ୍ତ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଉପକୂଳ, ପଶ୍ଚିମ ଓଡ଼ିଶା, ଉତ୍ତର ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ, କେନ୍ଦ୍ରୀୟ ଓଡ଼ିଶା ଏବଂ ଦକ୍ଷିଣ ଉପକୂଳରେ ବର୍ଷା ହେବ। ସବୁଠୁ ଅଧିକ ବର୍ଷା ସମ୍ବଲପୁର, ଦେବଗଡ଼, ବୌଦ୍ଧ, କନ୍ଧମାଳ, ବରଗଡ଼, ଢେଙ୍କାନାଳ ଏବଂ ଅନୁଗୋଳର କିଛି ଅଞ୍ଚଳରେ ହେବା ସମ୍ଭାବନା ରହିଛି। ଏପରିକି ୧୫୦ମି.ମିରୁ ୨୦୦ମି.ମି ପର୍ଯ୍ୟନ୍ତ ବର୍ଷା ହୋଇପାରେ।

Related Articles

Back to top button