ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷେତ୍ରରେ ରଥଯାତ୍ରା

୧୪୪ବର୍ଷ ଏଠାରେ ପାତାଳୀ ହୋଇଥିଲେ ମହାପ୍ରଭୁ

ସୁବର୍ଣ୍ଣପୁର ୧।୭: ସୁବର୍ଣ୍ଣପୁର ଜିଲ୍ଲା ପାତାଳୀ ଶ୍ରୀକ୍ଷତ୍ରରେ ଆନନ୍ଦ ଉଲ୍ଲାସର ସହିତ ଏଥର ପାଳିତ ହୋଇଛି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା । କୋଟସମଲାଇ ଛଳିଆ ପାହାଡ ଶ୍ରୀମନ୍ଦିରରୁ ବାହାରି ଘୋଷଯାତ୍ରାରେ ଭାଇ ଭଉଣୀ ସହ ଶ୍ରୀଜଗନ୍ନାଥ । ଛଳିଆ ପାହଡ ଉପରୁ ତଳକୁ ଆନନ୍ଦର ସହିତ ପହଣ୍ଡି ବିଜେ ହୋଇ ଆସିଛନ୍ତି ତିନି ଠାକୁର ।

ଆଗରେ ବଳଭଦ୍ର, ମଝିରେ ଦେବୀ ସୁଭଦ୍ରା ଓ ପଛରେ କାଳିଆ ଠାକୁର । ହରିବୋଲ, ହୁଳୁ ହୁଳି, ଘଂଟ ଘଂଟା ଓ ସଙ୍କୀର୍ତ୍ତନରେ ଖୋଳ, ତାଳ, ଧ୍ବନୀରେ ଉଛୁଳି ଉଠୁଛି ଏହି ପାବନ କ୍ଷେତ୍ର । ଛଳିଆ ପାହାଡର ଶ୍ରୀମନ୍ଦିରରୁ ପ୍ରାୟ ୨୦୦ଫୁଟ ତଳକୁ ସେବାୟତମାନେ ପହଣ୍ଡିରେ ଆଣିଛନ୍ତି ତିନି ବିଗ୍ରହଙ୍କୁ ।

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଛଳିଆ ପାହାଡର ଶିଖରରୁ ସର୍ପିଳ ପାହାଡିଆ ବାଟ ଦେଇ ଘୋଷଯାତ୍ରାରେ ବାହାରି ଥିବା ତିନି ଠାକୁରଙ୍କୁ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ପୁରୁଷୋତ୍ତମ କ୍ଷେତ୍ରର ରୀତିନୀତିରେ ପାଳିତ ହେଉଥିବା ଏମିତି ଏକ ନିଆରା ରଥଯାତ୍ରା ଦେଖିବାକୁ ସୁବର୍ଣ୍ଣପୁରର ପାତାଳୀ ଶ୍ରୀକ୍ଷତ୍ରରେ ଶ୍ରଦ୍ଧାଳୁମାନଙ୍କର ବେଶ୍ ଭିଡ ଦେଖିବାକୁ ମିଳିଛି ।

ଶ୍ରୀ ପାତାଳୀ କ୍ଷେତ୍ରରେ ମହାପ୍ରଭୁ ୧୪୪ ବର୍ଷ ପାତାଳୀ ହୋଇଥିଲେ । ଗତ ୧୨ ବର୍ଷ ତଳେ ପୁରୀ ଶ୍ରୀମନ୍ଦିର ଦେଇଥିବା ତିନି ବିଗ୍ରହଙ୍କୁ ପ୍ରତିଷ୍ଠା କରାଯାଇଥିଲା ପାତାଳୀ ଶ୍ରୀକ୍ଷେତ୍ରର ଛଳିଆ ପାହାଡରେ । ଶ୍ରୀଜଗନ୍ନାଥଙ୍କ ପ୍ରତିଷ୍ଠା ଉତ୍ସବରେ ପୁରୀ ଗଜପତି ଦିବ୍ୟସିଂହ ଦେବ ସାମିଲ ହୋଇଥିଲେ । ସେହିଦିନଠାରୁ  ସୁବର୍ଣ୍ଣପୁର ଜିଲ୍ଲା କୋଟସମଲାଇର ପାତାଳୀ ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ରୀତିନୀତିରେ ପାଳନ କରାଯାଉଛି ଏହି ରଥଯାତ୍ରା ।

ପାତାଳୀ ଶ୍ରୀକ୍ଷେତ୍ର ରଥଯାତ୍ରା କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନର ସହାୟତାରେ ପାଳିତ ହେଉଛି ଏହି ରଥଯାତ୍ରା  । ଦୁଇ ବର୍ଷ ହେଲା କରୋନା କଟକଣା ଯୋଗୁଁ ଏଠାରେ କେବଳ ରୀତିନୀତିରେ ରଥଯାତ୍ରା ପାଳନ କରାଯାଉଥିବା ବେଳେ ଚଳିତ ବର୍ଷ ହଜାର ହଜାର ଶ୍ରଦ୍ଧାଳୁଙ୍କ ଗହଣରେ ରଥଯାତ୍ରା ପାଳିତ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଛି ।

Related Articles

Back to top button