ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ନୟାଗଡରୁ କାଠ ସଂଗ୍ରହ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ହୋଇଛି ଆରମ୍ଭ

ରଥଯାତ୍ରା ପାଇଁ ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ନୟାଗଡରୁ କାଠ ସଂଗ୍ରହ ପ୍ରକ୍ରିୟା ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି । କାଠ ସଂଗ୍ରହ ପାଇଁ ଶ୍ରୀମନ୍ଦିରରୁ ପହଞ୍ଚିଛି ମହାପ୍ରଭୁଙ୍କ ଆଜ୍ଞାମାଳ । ପୁରୀରୁ ଯାଇଥିବା ଟିମ୍‌ ସ୍ଥାନୀୟ ‘ଡିଏଫଓ’ଙ୍କୁ ଶ୍ରୀଜିଉଙ୍କ ଆଜ୍ଞାମାଳ ପ୍ରଦାନ କରିଛନ୍ତି । ସରସ୍ବତୀ ପୂଜା ପୂର୍ବରୁ ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ଚାଯିବ ବୋଲି ‘ଡିଏଫଓ’ କ୍ଷମା ଷଡଙ୍ଗୀ କହିଛନ୍ତି ।ଶ୍ରୀକ୍ଷେତ୍ର ପରମ୍ପରା ଅନୁସାରେ, ପ୍ରତିବର୍ଷ ଅକ୍ଷୟ ତୃତୀୟାଠାରୁ ରଥକାଠ ଅନୁକୂଳ ସହ ମହାପ୍ରଭୁଙ୍କ ରଥ ନିର୍ମାଣ କାମ ଆରମ୍ଭ ହୁଏ । ଏହା ପୂର୍ବରୁ ଆବଶ୍ୟକତା ଅନୁସାରେ ନୟାଗଡ ଜିଲ୍ଲାର ଦଶପଲ୍ଲା ଓ ପାର୍ଶ୍ବବର୍ତ୍ତୀ ଜଙ୍ଗଲରୁ ପୁରୀକୁ କାଠ ଯୋଗାଯାଏ ।

ଗଣିଆ ବ୍ଲକ ଛାମୁଣ୍ଡିଆ ପଞ୍ଚାୟତ ବଡମୂଳସ୍ଥିତ ବଡରାଉଳ ପୀଠରେ ମହାପ୍ରଭୁଙ୍କ ଆଜ୍ଞାମାଳ ପହଞ୍ଚିଛି । ସୋମବାର ସନ୍ଧ୍ୟାରେ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ତତ୍ତ୍ଵାବଧାରକ ସୁଦର୍ଶନ ମେକାପ, ରଥକାଠ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦାର ରବି ଭୋଇ, ଶ୍ରୀମନ୍ଦିର ପ୍ରଶାସନର କର୍ମକର୍ତ୍ତା ରାକେଶ ରାୟ ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଅଜ୍ଞାମାଳ, ମହାର୍ଘ ନେଇ ନୟାଗଡ଼ ଅଭିମୁଖେ ବାହାରିଥିଲେ । ଏହି ପ୍ରତିନିଧି ମଣ୍ଡଳୀ ଗତକାଲି (ସୋମବାର) ସଂଧ୍ୟାରେ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ପହଞ୍ଚି ଆଜ୍ଞାମାଳ ପ୍ରଦାନ କରିଛନ୍ତି । ପ୍ରଥମେ ବେଠିଆସାହି ଦଧିବାମନ ଜୀଉ ମନ୍ଦିରରେ ପୂଜାର୍ଚ୍ଚନା କରାଯିବ । ପରେ ବଡ଼ରାଉଳ ପୀଠରେ ପୂଜାର୍ଚ୍ଚନା କରାଯିବା ପରେ ରଥ କାଠ କଟା ଆରମ୍ଭ ହେବ ବୋଲି ସୂଚନା ମିଳିଛି ।ଚଳିତ ବର୍ଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ ରଥ କାଠ ଆବଶ୍ୟକ ରହିଥ‌ିବା ବେଳେ ଗତ ବର୍ଷର ୫୧ ଖଣ୍ଡ ରଥକାଠ ରଥଖଳାରେ ଗଛିତ ରହିଛି । ରଥ କାଠ କଟାଯିବା ପରେ ଜାନୁଆରୀ ମାସ ଶେଷ ସପ୍ତାହ ସୁଦ୍ଧା ଦଶପଲ୍ଲାରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପୁରୀ ରଥଖଳାକୁ ପଠାଇବ ବୋଲି ଜଣାପଡ଼ିଛି । ବହୁ ପୂର୍ବରୁ ନୟାଗଡ ଜଙ୍ଗଲରୁ ସଂଗୃହିତ କାଠରୁ ମହାପ୍ରଭୁଙ୍କ ରଥ ନିର୍ମାଣ କରାଯାଇ ଆସୁଛି ।

Related Articles

Back to top button