୪୨ଟି ଚକ ମଧ୍ୟରୁ ଶୁକ୍ରବାର ସୁଦ୍ଧା ୧୬ଟି ଚକ ନିର୍ମାଣ ଶେଷ

ତିନି ରଥର ୪୨ଟି ଚକ ମଧ୍ୟରୁ ଶୁକ୍ରବାର ସୁଦ୍ଧା ୧୬ଟି ଚକ ନିର୍ମାଣ ଶେଷ ହୋଇଛି। ତୁମ୍ବଗୁଡ଼ିକରେ ଅର ଏବଂ ପହି ସଂଯୋଗ କରାଯାଉଛି। ମହାରଣା ସେବକମାନେ ତିନି ରଥ ପାଇଁ ୨୧ଟି ଅଖ ପ୍ରସ୍ତୁତ କରୁଛନ୍ତି। ପ୍ରଭୁ ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ୫ଟି ଲେଖାଏଁ ଚକ ନିର୍ମାଣ ଶେଷ ହୋଇଥିବାବେଳେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ୬ଟି ଚକ ନିର୍ମାଣ କରାଯାଇଛି। ଏଥିସହ ତିନି ରଥର ୪ଟି ଲେଖାଏଁ ୧୨ ଫୁଟିଆ ପ୍ରଥମ ଭୂଇଁ ଓରା ଚଉପଟ କରାଯାଇ ଉଭୟ ପାର୍ଶ୍ବ ବିନ୍ଧ କରାଯାଇଛି। ତିନି ରଥର ଦୁଇଟି ଲେଖାଏଁ ଭୂଇଁ ଖମ୍ବୀ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚଉପଟ କାର୍ଯ୍ୟ ଶେଷ ହୋଇଛି। ତୁମ୍ବଗୁଡ଼ିକରେ ଭୋଇ ସେବକମାନେ ସିଙ୍ଗଡ଼ା ବାଡ଼ିଆ କରୁଛନ୍ତି। ଦୋଳବେଦୀ କୋଣ ଅସ୍ଥାୟୀ କମାର ଶାଳରେ ତିନି ରଥର ୧୦ଟି ଲେଖାଏଁ ଚକ ପାଇଁ ଅର କଣ୍ଟା ନିର୍ମାଣ ଶେଷ ହୋଇଛି। ବାକି ଚକଗୁଡ଼ିକ ପାଇଁ ଅର କଣ୍ଟା ନିର୍ମାଣ ସହ ତୁମ୍ବ ପାଇଁ ପନ୍ଦାରି ବଳା, ତୁମ୍ବ ବାହ୍ୟ ବଳା ଏବଂ ପନ୍ଦାରି ଚାବି ନିର୍ମାଣ କରାଯାଉଛି।

Related Articles

Back to top button