
ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ହେଲା ଶୁଭାରମ୍ଭ
ବିଶ୍ବ ପ୍ରଶିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ହେଲା ଶୁଭାରମ୍ଭ । ତନ୍ତ୍ରବିଧି ଅନୁସାରେ ମହାକାଳୀ ମନ୍ତ୍ରରେ ପୂଜିତ କୁରାଢି ଲଗାଇ ଆଚାର୍ଯ୍ୟ ତଥା ଦେଉଳ ପୁରୋହିତ ରଥନିର୍ମାଣର ଶୁଭାରମ୍ଭ କରିଛନ୍ତି । ତାଳଧ୍ୱଜ, ଦେବଦଳନ ଓ ନନ୍ଦିଘୋଷ ରଥ ପାଇଁ ଗୋଟିଏ ଧଉରା କାଠରେ ସୁନା କୁରାଢି ସ୍ପର୍ଶ କରାଯାଇଛି ।
ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଶ୍ରୀଜୀଉଙ୍କ ଆଜ୍ଞାମାଳ ଚନ୍ଦନଠାକୁରଙ୍କ ସହ ପଟୁଆରରେ ରଥଖଳାକୁ ଆସିଥିଲା । ରଥଖଳାରେ ଶ୍ରୀମନ୍ଦିର ପୁରୋହିତ, ରାଜଗୁରୁ ଓ ସ୍ତ୍ରୋତୀୟ ବ୍ରାହ୍ମଣ ବନଯାଗ ବିଧିରେ ରଥ ନିର୍ମାଣର ଅନୁକୂଳ କରିଛନ୍ତି । ରୂପକାର, କମାର, ଚିତ୍ରକର, ଭୋଇ, ଅମୀନସେବକମାନଙ୍କ ଉପସ୍ଥିତିରେ ବିଶ୍ୱକର୍ମାଙ୍କ ଶାଢୀବନ୍ଧା ନୀତି ପାଳିତ ହୋଇଥିଲା । ଚତୁର୍ଥୀଠାରୁ ଶ୍ରୀନଅର ସମ୍ମୁଖ ଚାଳିଆରେ ୩ଟି ରଥ ତିଆରିର ଶୁଭାରମ୍ଭ ହେବ । ପ୍ରଥମ ପର୍ଯ୍ୟାୟ ଚକ ପାଇଁ ତୁମ୍ଭ ନିର୍ମାଣ କରିବେ ମହାରଣା ସେବାୟତ । ଏଥିପାଇଁ ଶ୍ରୀନଅର ସାମ୍ନାରେ ପ୍ରସ୍ତୁତ ରଥଖଳାରେ ଆସି ପହଞ୍ଚି ସାରିଛି କାଠ । ପରବର୍ତ୍ତୀ ପର୍ଯ୍ୟାୟରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଥିବା କାଠ ପହଞ୍ଚିବ ।