୩୨ ବର୍ଷର ରେକର୍ଡ ଭାଙ୍ଗିଲା ପ୍ଲାନେଟୋରିୟମ, ଗୋଟିଏ ଦିନରେ ୬୭ ହଜାର ଆୟ

ଭୁବନେଶ୍ୱର: ସ୍କୁଲ ଛୁ଼ଟି ପଡ଼ିଛି ଏଥିସହ ବର୍ଷ ସରି ଆସୁଥିବାରୁ ଅନେକ ଏବେ ବୁଲାବୁଲି କରୁଛନ୍ତି। ଆଉ ଏହି ସମୟରେ ଭିଡ ଜମିଛି ରାଜଧାନୀ ସ୍ଥିତ ଆଚାର୍ଯ୍ୟ ବିହାରରେ ଥିବା ପଠାଣି ସାମନ୍ତ ପ୍ଲାନେଟୋରିୟମରେ। ସକାଳ ଠୁ ସଧ୍ୟା ପ୍ଲାନେଟୋରିୟମ ଆଗର ଭିଡ ନକହିଲେ ନସରେ। ଧାଡି ହୋଇ ରାସ୍ତା କଡରେ ଆପୋଲୋ ହସ୍ପିଟାଲ ଯାଏ ଲମ୍ବୁଛି କାର ଓ ଗାଡି। ଯାହାର ପରିଣାମ ଶୁକ୍ରବାର ଦିନ କେବଳ ଗୋଟିଏ ଦିନରେ ପ୍ଲାନେଟୋରିୟମ ୬୭ ହଜାର ୭୪୦ ଟଙ୍କା ଆୟ କରିଛି।

ମିଳିଥିବା ସୂଚନା ଅନୁଯାୟୀ ମୋଟ୍ ୨୦ଟି ଶୋ’ର ଆୟୋଜନ ହୋଇଥିଲେ। ମୋଟ୍ ୨୯୩୫ ଜଣ ଗୋଟିଏ ଦିନ ବୁଲିବାକୁ ଆସିଥିଲେ। ସେଥିମଧ୍ୟରୁ ୩୮୯ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ୨୦ଟି ଶୋ’ରୁ  ୬୭ ହଜାର ୭୪୦ ଟଙ୍କା ଆୟ ହୋଇଛି। ଯାହାକି ୩୨ ବର୍ଷର ପ୍ଲାନେଟରିୟମର ରେକର୍ଡ ଭାଙ୍ଗିଛି। ଆସନ୍ତାକାଲି ବର୍ଷର ଶେଷ ଦିନ ଥିବାରୁ ଆହୁରି ଅଧିକ ଆୟ ହେବ ବୋଲି ପ୍ଲାନେଟରିୟମ କର୍ତ୍ତୃପକ୍ଷ ଆଶା ରଖିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଲା ଛାତ୍ରଛାତ୍ରୀଙ୍କ ଅପେକ୍ଷା ଅନ୍ୟମାନେ ଏହି ପ୍ଲାନେଟୋରିୟମକୁ ଆସି ଗୋଟିଏ ବଡ ଅନୁଭୂତି ସାଉଁଟିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

ଉଲ୍ଲେଖଯୋଗ୍ଯ, ପଠାଣି ସାମନ୍ତ ପ୍ଲାନେଟୋରିୟମ ରାଜଧାନୀ ଭୁବନେଶ୍ୱର ସହରର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ପ୍ରାୟ ୫ ଏକର ପରିମିତ ଅଞ୍ଚଳରେ ଏହା ତିଆରି ହୋଇଛି। ଏହି ପ୍ଲାନେଟୋରିୟମ ମହାକାଶ ବିଜ୍ଞାନ ଉପରେ ଆଧାରିତ ନିୟମିତ ଶୋ’ ଆୟୋଜନ କରିଥାଏ। ଛାତ୍ର ସମାଜ ଓ ସାଧାରଣ ଜନତାଙ୍କ ପାଇଁ ଆଷ୍ଟ୍ରୋଫିଜିକ୍ସ ଓ ଆଷ୍ଟ୍ରୋନୋମି ମାଧ୍ୟମରେ ବ୍ରହ୍ମାଣ୍ଡର ଆକାଶୀୟ ପିଣ୍ଡର ଭୌତିକ ପରିକଳ୍ପନା ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଏ। ଏହି ସଂଗ୍ରାହଳୟରେ ବିଭିନ୍ନ ଜ୍ୟୋତିର୍ବିଜ୍ଞାନ ଉପକରଣ, ଅଡିଓ ଭିଜୁଆଲ କାର୍ଯ୍ୟକ୍ରମ, ପୋଷ୍ଟର ପ୍ରଦର୍ଶନ ଏବଂ ରାତିରେ ଆକାଶ ଦୃଶ୍ୟ ଗତିବିଧି ପ୍ରଦର୍ଶିତ କରାଯାଏ। ଆକାଶରେ ଦେଖାଯାଉଥିବା ମହାଜାଗତିକ ଦୃଶ୍ୟ ଯେମିତିକି ଚନ୍ଦ୍ରଗ୍ରହଣ, ସୂର୍ଯ୍ଯପରାଗ ଓ ଅନ୍ୟାନ୍ୟ ସ୍ୱତନ୍ତ୍ର ଘଟଣା ‘ସ୍କାଇ ଓ୍ୱାଚ’ କାର୍ଯ୍ୟକ୍ରମର ଆୟୋଜନ ହୋଇଥାଏ।

Related Articles

Back to top button